କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୋଲିସକୁ ମିଳିଛି ଆଉ କିଛି ସୁରାଗ । ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେ ଘରୁ ମିଳିଲା ଏକ ବ୍ୟାଗ୍ । ଏହି ବ୍ୟାଗରେ ଗୋଟିଏ ନୂଆ ମୋବାଇଲ୍, ମୋବାଇଲ୍ ଚାର୍ଜର, ମହିଳାଙ୍କ ନୂଆ ଜିନ୍ସ ପ୍ୟାଂଟ ରହିଛି । ରାଧେଙ୍କ ପତ୍ନୀ ଆଜି କେଂଗା ଥାନା ପୋଲିସକୁ ଏହି ବ୍ୟାଗ୍ ଦେଇଛନ୍ତି । ଘର ଓଳେଇବା ବେଳେ ରାଧେର ସ୍ତ୍ରୀକୁ ଏହି ବ୍ୟାଗ୍ ମିଳିଥିଲା । ରାଧେ ଏସବୁ ଜିନିଷ କାହିଁକି ଲୁଚାଇ ରଖିଥିଲା ? ଏସବୁ ସାମଗ୍ରୀ କାହାର ତାକୁ ନେଇ ପ୍ରଶ୍ନ ଉଠିଛି ? ରାଧେ ନିର୍ଦ୍ଦୋଷ ବୋଲି ତାଙ୍କ ପତ୍ନୀ ଦାବି କରିଛନ୍ତି ।
ସେପଟେ, ଡେମୋ ଦେଖାଇଲା ଗୋବିନ୍ଦ ସାହୁ । ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମକୁ ଗୋବିନ୍ଦ ସାହୁକୁ ଆଣିଥିଲା ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଲା ଗୋବିନ୍ଦ । କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ପ୍ରଥମେ କାଠ, ତା ଉପରେ ମମିତାଙ୍କ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର ଓ କିଛି ବେଂଚ ଡେସ୍କକୁ ଭାଙ୍ଗି ପୋଡି ଦେଇଥିଲା ।
ମୋବାଇଲକୁ ଭାଙ୍ଗି ମଧ୍ୟ ସେହି ନିଆଁରେ ପକାଇ ଦେଇଥିବା ପୋଲିସ ଆଗରେ କହିଛି ଗୋବିନ୍ଦ ସାହୁ । ଉତରାଂଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମ୍ସିନ୍ ରିକ୍ରିଏସନ୍ କରାଯାଇଛି । ଘଟଣା ସମୟରେ ସାଇଂଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । କ୍ରାଇମ୍ସିନ୍ ରିକ୍ରିଏସନର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ମମିତା ମେହେରଙ୍କ ପୋଡ଼ି ଯାଇଥିବା କିଛି ଅଂଶ ଫରେନସିକ୍ ଟିମକୁ ମିଳିଛି । ଯେଉଁଥିରେ ଲୁଣ ଲାଗିଥିବା କିଛି ଛୋଟ ଛୋଟ ହାଡ ଥିବା ଦେଖିବାକୁ ମିଳିଛି ।