ତୃତୀୟ ଲହରରେ ବଢିପାରେ ପିକ୍ । ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ପୂଜାପାର୍ବଣ ପାଇଁ ଆସିବ ଗାଇଡଲାଇନ ।

152

କନକ ବ୍ୟୁରୋ : ତୃତୀୟ ଲହର ଆସିବା ପୂର୍ବରୁ ସର୍ତକ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ପିକ୍ ବଢିପାରେ ବୋଲି ଅନେକ ସଂସ୍ଥା ଆକଳନ କରୁଛନ୍ତି । ଅଥାର୍ତ ପିକ୍ ସମୟରେ ଅଧିକ ସଂଖ୍ୟକ ସଂକ୍ରମଣ ମାମଲା ଆସିପାରେ । ତେଣୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଯେପରି ଦ୍ୱିତୀୟ ଲହର ଭଳି ସ୍ଥିତି ନ ଉପୁଜେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଦ୍ୱିତୀୟ ଲହରର ପିକ୍ ସମୟରେ ଦୈନିକ ୧୦ ହଜାର ପର୍ଯ୍ୟନ୍ତ କେସ୍ ସାମ୍ନାକୁ ଆସୁଥିଲା । ତୃତୀୟ ଲହରରେ ଏହା ବଢିପାରେ । ଏବେ ସ୍ଥିତି ଭଲ ଅଛି । ସର୍ଭିଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରଖାଯାଇଛି । ଆକଳନ ଅନୁସାରେ ତୃତୀୟ ଲହରରେ ପିକ୍ ବଢିପାରେ ଓ ଏଥିପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହାବାଦ୍ ଭାରତ ସରକାରଙ୍କ ପକ୍ଷରୁ ପୂଜାପାର୍ବଣରେ କଟକଣା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି । ତେଣୁ ସଠିକ୍ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାପୂର୍ବରୁ ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ପାଇଁ କଟକଣା ଭିତରେ ପୂଜାପାର୍ବଣ ହୋଇଥିଲା । ଖାସକରି ଆଗକୁ ଦୁର୍ଗାପୂଜା ରହିଥିବାରୁ ମଣ୍ଡପ ଗୁଡିକରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପୂଜାପାର୍ବଣ ପାଇଁ ନୂଆ ଗାଇଡଲାଇନ ଆଣିବେ ସରକାର ।