ରାଜଧାନୀରେ ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୁଲିସ : ଗତକାଲି ଗିରଫ ହୋଇଥିଲେ ୪ : ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଅଭିଯୁକ୍ତ ଜାମିନରେ ଆସିବା ପରେ କରିଥିଲେ ରାଲି

449

କନକ ବ୍ୟୁରୋ : ବହୁ ଚର୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିବା ପରେ ସେମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏହାର ଏକ ଭିଡିଓ ଗତକାଲି ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ଏହି ଘଟଣାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ପୁଲିସ ।

ଗତକାଲି ୪ ଜଣଙ୍କୁ ଗିରଫ କରିଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ । ବର୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୯ ଜଣଙ୍କୁ ବାନ୍ଧି ସାରିଲାଣି କମିଶନରେଟ ପୁଲିସ ।

ଗୁରୁବାର ଦିନ ଜାମିନରେ ଅଭିଯୁକ୍ତମାନେ ମୁକୁଳିବା ପରେ ସେମାନଙ୍କୁ ଶହ ଶହ ଲୋକଙ୍କ ଭିତରେ ଶୋଭାଯାତ୍ରା କରି ପାଛୋଟି ଅଣାଯାଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ମୃତ ଅମରେଶଙ୍କ ମାଆ କହିଥିଲେ, ଅଭିଯୁକ୍ତ ମାନେ ଜେଲରୁ ମୁକୁଳିବା ପରେ ତାଙ୍କ ଡର ବଢିଯାଇଛି । ଏପରିକି ସେମାନଙ୍କୁ ଅଜଣା ନମ୍ବରରୁ ଧମକ ମିଳୁଛି ଏବଂ ସେମାନେ ଭୟରେ ଘର ଛାଡି ଗାଁକୁ ପଳେଇଯାଇଛନ୍ତି ।