ପୁଣି ସେନାର ଶକ୍ତି ବଢାଇବ ଆକାଶର ବାହୁବଳୀ । ଆସନ୍ତା ମାସ ଭାରତକୁ ଆସିବ ୩ଟି ରାଫେଲ ବିମାନ । ଏପ୍ରିଲ ସୁଦ୍ଧା ବାୟୁସେନାରେ ସାମିଲ ହେବ ଆଉ ୧୬ଟି ରାଫେଲ ବିମାନ ।

115

କନକ ବ୍ୟୁରୋ : ପରାକ୍ରମର ଅନ୍ୟ ନାମ ରାଫେଲ । ଫ୍ରାନ୍ସର ଡାସଲ୍ଡ ଆଭିଏସନ୍ ଦ୍ୱାର ନିର୍ମିତ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାର ଶକ୍ତି ବଢାଇଛି । ଭାରତ ଚୀନ୍ ବିବାଦ ମଧ୍ୟରେ ଆସନ୍ତା ନଭେମ୍ବର ୫ତାରିଖରେ ଭାରତକୁ ପୁଣି ମିଳିବ ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ସିଧାସଳଖ ଉଡାଣ ଭରି ଏହା ଭାତରରେ ଅବତରଣ କରିବ । ଏପରିକି ଇନ୍ଧନ ଭରିବା ପାଇଁ ମଧ୍ୟ ପୂର୍ବପରି କୌଣସି ସ୍ଥାନରେ ଅଟକିବ ନାହିଁ ଏହି ବିମାନ । ଏହା ଆକାଶରେ ଇନ୍ଧନ ଭରିବ ।

ଏହା ପରେ ପରେ ଲଗାତର ଭାବେ ଜାନୁୟାରୀରେ ୩ଟି, ମାର୍ଚ୍ଚରେ ୩ଟି ଓ ଏପ୍ରିଲରେ ୭ଟି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବ । ଏପ୍ରିଲ ମାସ ସୁଦ୍ଧା ଭାରତକୁ ମିଳିଯିବ ଆଉ ୧୬ଟି ରାଫେଲ ବିମାନ । ଚଳିତ ବର୍ଷ ଜୁଲାଇରେ ଫ୍ରାନ୍ସରୁ ଆବୁ ଧାବୀ ଦେଇ ଭାରତରେ ପହଂଚିଥିଲା ପ୍ରଥମ ୫ଟି ରାଫେଲ ବିମାନ ।

ରାଫେଲର ରେଞ୍ଜ ୩ ହଜାର ୭୦୦ କିଲୋମିଟର । ଅର୍ଥାତ ୧ ହଜାର ୮୦୦ କିଲୋମିଟର ପରିଧି ଭିତରେ ଆସୁଥିବା ପାକିସ୍ତାନ, ତିବ୍ୱତ ଓ ଚୀନ ଏହି ପୁରା ଅଂଚଳରେ ଯେକୌଣସି ଅଭିଯାନକୁ କାର୍ଯ୍ୟକାରୀ କରିବାରେ ସମର୍ଥ । ଏବେ ବାୟୁସେନାରେ ୫ଟି ରାଫେଲ ସାମିଲ ହୋଇଥିବାରୁ ସେନାର ଶକ୍ତିକୁ ଶତ୍ରୁ କମ୍ ଆକଳନ କରିବାର ଭୁଲ ଆଦୌ କରିବା ଉଚିତ ନୁହେଁ । ଏବେ ପୁଣି ୧୬ଟି ନୂଆ ରାଫେଲ ବାୟୁସେନାରେ ସାମିଲ ହେଲେ ଏହା ସାମରିକ ଶକ୍ତି ବଢାଇବ ।

ସେପ୍ଟେମ୍ବର ୧୦ତାରିଖରେ ଅମ୍ବାଲା ଏୟାରବେସରେ ଗୋଲ୍ଡେନ ଆରୋଜ୍ରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲା ଦେଶକୁ ଆସିଥିବା ୫ଟି ରାଫେଲ ଯୁଦ୍ଧ ବିମାନ । ଏହାପରେ ପରେ ପ୍ରଥମ ଉଡାଣ ଭାବେ ଲଦାଖ ଯାଇଥିଲା ଆକାଶର ବାହୁବଳୀ । ଲଦାଖର ଜଳବାୟୁ ଓ ପରିବେଶ ସମ୍ପର୍କରେ ଜାଣିବା ପାଇଁ ରାଫେଲ ପାଇଲଟ ଏଭଳି ଉଡାଣ ଭରିଥିଲେ ।