ସାମ୍ନାକୁ ଆସିଲା ଝୁଲାପୋଲ ଛିଡିବାର ସାଙ୍ଘାତିକ ସତ । ଆହତ କହିଲେ, ୧୫ରୁ ୨୦ ଯୁବକଙ୍କ ବଦମାସି ପାଇଁ ଛିଡି ପଡିଲା ପୋଲ ।

2,420

କନକ ବ୍ୟୁରୋ: କେମିତି ଘଟିଲା ଦୁର୍ଘଟଣା ? କେମିତି ଛିଡିଲା ଝୁଲା ପୋଲ? କେମିତି ହଠାତ୍ ଲୋକଙ୍କୁ ମୃତ୍ୟୁ ତା ପାଟି ଭିତରକୁ ଟାଣିନେଲା ? ଗୁଜୁରାଟ ମୋର୍ବିର ମଚ୍ଛୁ ନଦୀରେ ଘଟିଥିବା ଭୟାନକ ଏବଂ ଦେଶର ଏବର୍ଷର ସବୁଠାରୁ ବଡ ଦୁର୍ଘଟଣା କୁହାଯାଉଥିବା ଝୁଲା ପୋଲ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା, ତର୍କ ବିତର୍କ, ପ୍ରଶ୍ନ କରାଯାଉଥିବା ବେଳେ । ମୁହଁ ଖୋଲିଛନ୍ତି ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିବା ବ୍ୟକ୍ତି । ଆଉ କରିଛନ୍ତି ପୋଲ ଦୁର୍ଘଟଣାର ବିରାଟ ଖୁଲାସା । ଅଘଟଣର ଠିକ୍ ପୂର୍ବରୁ କିଛି ଯୁବକ ପୋଲ ଉପରେ ମଜା ମସ୍ତି କରୁଥିଲେ । ପ୍ରାୟ ୧୫ରୁ ୨୦ ଯୁବକ ଉନ୍ମତ କାଣ୍ଡ କରିଥିଲେ । ପୋଲର ତାରକୁ ଧରି ହଲାଉଥିଲେ, ନାଚୁଥିଲେ । ଦୁର୍ଘଟଣାର ଆଭାସ ଆଗୁଆ ମିଳିଥିଲା । ଦୁଇ ତିନି ଥର ଶବ୍ଦ ହୋଇଥିଲା ଆଉ ତାପରେ ହଠାତ୍ ପୋଲଟି ଜୋରସୋରରେ ହଲି ଛିଡି ପଡିଲା, ନଦୀରେ ଖସିପଡିଲା ।

ତେବେ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ଶହେରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ଭୟାନକ ଓ ଛାତି ଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଉ ସିସିଟିଭିର ସେହି ଭିଜୁଆଲ ଦେଖି ସାରା ଦେଶ ସ୍ତବ୍ଧ ପାଲଟି ଯାଇଛି । ୩୧ ସେକେଣ୍ଡର ସେହି ଦୃଶ୍ୟରେ ଦେଖିବାକୁ ମିଳିଛି ପୋଲ ଛିଣ୍ଡିପଡିଯିବାର ଲୋମଟାଙ୍କୁରା ଦୃଶ୍ୟ ।