୨ ବର୍ଷର ଅବୋଧ ଶିଶୁ , ଉପସ୍ଥିତ ବୁଦ୍ଧି ପାଇଁ ବଂଚାଇଲା ମାଆର ଜୀବନ : ସୋସିଆଲ ମିଡିଆରେ ଭାଇରାଲ ହେଲା ମମତାର ଭିଡିଓ

185

କନକ ବ୍ୟୁରୋ : କୁନି ଝିଅର ବିଚକ୍ଷଣ ବୁଦ୍ଧି । ବଞ୍ଚାଇ ପାରିଲା ମାଆର ଜୀବନ । ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଛି । ଘଟଣାଟି ଉତ୍ତରପ୍ରଦେଶ ମୁରାଦାବାଦର । ଯେଉଁଠି ଜଣେ ବେହୋସ ପଡିଥିବା ମହିଳା ନିଜ ୨ ବର୍ଷର କୁନି ଝିଅ ପାଇଁ ନୂଆ ଜୀବନ ପାଇଛନ୍ତି ।

ଘଟଣାଟି ଗତ ଶନିବାରର । ଯେଉଁଠି ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ ଉପରେ ନିଜ ମାଆ ଓ ୬ ମାସର କୁନି ଭାଇ ସହ ବସିଥିଲା ଏହି ଅବୋଧ ଶିଶୁଟି । ନା ସେ ଠିକ୍ ସେ କଥା କହିବା ଶିଖିଛି ନା ଜାଣିଛି ଜୀବନ- ମୃତ୍ୟୁର ଫରଖ । ହେଲେ ସେ ଏତିକି ଜାଣି ପାରିଥିଲା ତାଆ ମାଆର କିଛି ଗୋଟେ ଅସୁବିଧା ହୋଇଛି । ତା ମଆ କଥା କହୁନି । ତା ଡାକ ଶୁଣୁନି । କିଛି ଜାଣି ନଥିବା, କିଛି ବୁଝି ପାରୁ ନଥିବା ଏହି କୁନି ଝିଅଟି ଖୋଜିଲା ସହାୟତା । ଫୁଟ୍ ଓଭର ବ୍ରିଜ୍ରୁ ଓହ୍ଲାଇ ନିକଟରେ ଥିବା ଜଣେ ମହିଳା ଆରପିଏଫ କର୍ମଚାରୀଙ୍କୁ ଡାକିଲା । ଆରପିଏଫ କର୍ମଚାରୀ ଛୋଟ ଝିଅର କଥା ବୁଝି ପାରି ନଥିଲେ । ହେଲେ ତାର ଠାର କିନ୍ତୁ ବୁଝି ପାରିଥିଲେ । କୁନି ଝିଅଟି ଆରପିଏଫ କର୍ମଚାରୀଙ୍କୁ ନେଇ ଯାଇଥିଲା ନିଜ ମାଆ ପାଖକୁ । ଯେଉଁଠି ବେହୋସ ପଡିଥିଲା ତା ମାଆ । ଆଉ ପାଖରେ କାନ୍ଦୁ ଥିଲା ୬ମାସର ଛୋଟ ଭାଇ ।

ପୁଲିସ କର୍ମଚାରୀ ବେହୋସ ପଡିଥିବା ମହିଳାଙ୍କ ମୁହଁରେ ପାଣି ଛାଟିଥିଲେ । ହେଲେ ମହିଳା ଜଣଙ୍କ ଉଠି ନଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇ ଥିଲା । ପାରମ୍ଭିକ ଚିକିତ୍ସା ପରେ ମହିଳାଙ୍କ ହୋସ ଆସିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ମହିଳା ଜଣଙ୍କ ୩ମାସର ଗର୍ଭବତୀ ଥିଲେ । ଆଉ ଅସହ୍ୟ ଖରା ଗରମ ସହି ନପାରି ସେ ବେହୋସ ହୋଇ ଯାଇଥିଲେ । ଏକ ନିରୀହ କୋମଳ ମତି ଶିଶୁ ଦ୍ୱାରା ନିଜ ମାଆର ଜୀବନ ବଂଚାଇବା ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଛି ।