ମୁସ୍କିଲ୍ ହେଉଛି ମୋରଡ଼ା ଅଙ୍କ ! ବିଜେପି-ବିଜେଡିକୁ ଘାଟା ଆଶାୟୀଙ୍କ ଲମ୍ବା ଲିଷ୍ଟ୍, ମେଣ୍ଟ କରି ନିର୍ବାଚନ ପାର ହେବାକୁ କଂଗ୍ରେସର କସରତ ।

128

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଚେକମେଟ୍ ଦେବାକୁ ବଳକଷୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ବିଧାନସଭା ଆସନ ହେଉଛି ମୋରଡ଼ା । ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ଦଳର ସାଧାରଣ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏସବୁ ମଧ୍ୟରେ ରୋଚକ ସ୍ଥିତି ହେଉଛି ଯେ ବର୍ତ୍ତମାନ ସବୁ ଦଳରେ ମାଳମାଳ ଆଶୟୀ ଦଳକୁ ଅଡୁଆରେ ପକାଇଛି ।

ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋଟ୍ ୫୨ଟି ପଞ୍ଚାୟତ ନେଇ ଗଠିତ ହୋଇଛି । ସେଥି ମଧ୍ୟରୁ ମୋରଡ଼ା ବ୍ଲକର ୨୦ଟି ପଞ୍ଚାୟତ, ଶୁଳିଆପଦା ବ୍ଲକର ୧୬ଟି ପଞ୍ଚାୟତ ଓ ରାସଗୋବିନ୍ଦପୁର ବ୍ଲକରୁ ୧୬ଟି ପଞ୍ଚାୟତ ରହିଛି । ଏବଂ ଆରମ୍ଭରୁ ହିଁ ମୋରଡ଼ାରେ ମଙ୍ଗ ସମ୍ଭାଳିଛି ବିଜେଡି । ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଲଗାତାର ୨ ଥର ଏଠାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ ଏଥର ଜିଲ୍ଲାର ଏହି ଏକମାତ୍ର ଅଣସଂରକ୍ଷିତ ଆସନକୁ ହାତେଇବାକୁ ଭରପୂର ପ୍ରୟାସ କରୁଛି ବିଜେଡି । ବିଜେପି ଏବଂ କଂଗ୍ରେସ-ଜେଏମ୍ଏମ୍ ମେଣ୍ଟ। ତେଣୁ ଏଥର ମୋରଡ଼ାରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି । କାରଣ ଗତ ୫ ବର୍ଷ ମଧ୍ୟରେ ମୋରଡ଼ା ରାଜନୀତି କଡ ଲେଉଟାଇଛି ।

ପ୍ରବୀଣଙ୍କ ବିରୋଧରେ ଏଠାରେ ଜନ ଅସନ୍ତୋଷ ବଢ଼ିଥିବା କୁହାଯାଉଛି । ଏପରିକି ଦଳୀୟ କର୍ମୀଙ୍କୁ ସମୟ ନଦେବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡିର ଶୋଚନୀୟ ପରାଜୟ ମଧ୍ୟ ପ୍ରବୀଣଙ୍କ ନେତୃତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏଥର ପ୍ରବୀଣଙ୍କ ପତ୍ନୀ ତଥା ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କୁ ଏହି ଆସନରୁ ଛିଡ଼ା କରିବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ବିଜେଡିରୁ ଆହୁରି ଅନେକ ପ୍ରାର୍ଥୀ ଏହି ଆସନ ପାଇଁ ଆଶାୟୀ ଅଛନ୍ତି । ଏହି ଦୌଡ଼ରେ ଆଗରେ ଅଛନ୍ତି ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ଦେବାଶିଷ ମହାନ୍ତି । ତାଙ୍କ ବ୍ୟତୀତ କୃଷ୍ଣ ଦାସ, ସମ୍ପା ମଜୁମଦାର ଏବଂ ଆଦିତ୍ୟ ପଣ୍ଡା ପ୍ରମୁଖ ମଧ୍ୟ ବିଜେଡିରୁ ଆଶାୟୀ ପ୍ରାର୍ଥୀ ତାଲିକା ରେସରେ ଅଛନ୍ତି ।

ଅନ୍ୟପଟେ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବାରୁ ଏହି ଆସନ ପାଇଁ ଉଭୟ ଦଳରୁ ପ୍ରାର୍ଥୀଙ୍କ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି ପକ୍ଷରୁ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଆଯାଇଛି ସେଥିରେ ଅଛନ୍ତି କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ଅଜିତ ଜେନା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରଭାସ୍କର ମହାପାତ୍ର । କିନ୍ତୁ ମେଣ୍ଟ ହେଲେ ଏହି ଆସନ ଜେଏମଏମ ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଟିକେଟ୍ ମିଳିପାରେ । କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ ନଦେଲେ ପ୍ରଭାସ୍କର ମହାପାତ୍ରଙ୍କୁ କେମିତି ଥଇଥାନ କରିବ ସେ ନେଇ ଦଳ ଅଡ଼ୁଆରେ ପଡ଼ିଛି । ପ୍ରଭାସ୍କରଙ୍କର ମୋରଡ଼ାରେ ବେଶ ଦବଦବା ଥିବାରୁ କଂଗ୍ରେସ ତାଙ୍କୁ ଟିକେଟ୍ ନଦେଲେ ସେ ସ୍ବାଧୀନ ଭାବେ ଏଠାରେ ଛିଡ଼ାହୋଇ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ହରଡ଼ଘଣାରେ ହାଇକମାଣ୍ଡ ।

ସେପଟେ ବିଜେପିରୁ ମଧ୍ୟ ୩ଜଣ ଆଶାୟୀଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ସବୁଠୁ ଆଗରେ ଅଛନ୍ତି ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜକିଶୋର ଦାସ । କାରଣ ଗତ ଦୁଇଟି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ରାଜକିଶୋର ଏଠାରେ ପରାସ୍ତ ହୋଇଥିଲେ ବି ଗତ ପଞ୍ଚାୟତ ନିର୍ବାଚଚନରେ ବିଜେପିର ସଫଳତା ତାଙ୍କୁ ପୁଣି ଥରେ ସୁଯୋଗ ଆଣି ଦେଇପାରେ ବୋଲି ରାଜକିଶୋରଙ୍କ ସମର୍ଥକମାନେ ଦମ୍ଭୋକ୍ତି ବାଢ଼ିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା ଛୋଟେଲାଲ ମହାନ୍ତ ଏବଂ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଦୌଡ଼ରେ ଅଛନ୍ତି।

ବର୍ତ୍ତମାନ ସ୍ଥିତିରେ ମୋରଡ଼ା ଆସନରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଉପରେ ଭରସା କରିବା ପ୍ରାୟ ଚୂଡ଼ାନ୍ତ ହୋଇସାରିଛି ବୋଲି ଅନ୍ଦର ମହଲରେ ଶୁଣିବାକୁ ମିଳୁଛି । ହେଲେ ମାଳ ମାଳ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ଭରସା କରିବ ସେନେଇ ମାରାଥନ ବୈଠକ ପରେ ବୈଠକ ଚାଲିଛି । ଜେଏମଏମ ଓ କଂଗ୍ରେସ ମେଣ୍ଟ ଘୋଷଣା ହୋଇ ନଥିଲେ ମଧ୍ୟ ଏହି ମେଣ୍ଟରୁ କେଉଁ ପ୍ରାର୍ଥୀ ଉଭୟ ଦଳର ସମର୍ଥନ ହାସଲ କରିପାରିବେ ଓ ଅନ୍ୟ ଆଶାୟୀଙ୍କୁ ଉଭୟ ଦଳ କେମିତି ସନ୍ତୁଷ୍ଟ କରିବ ସେ ନେଇ ବିଚାର ବିମର୍ଷ ଚାଲିଛି । ଏସବୁ ବାଦ୍ ଏହି ଅଞ୍ଚଳର ଦୀର୍ଘଦିନର ଦାବି ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ପୁନଃଉଦ୍ଧାର, କାଗଜ କଳ ପ୍ରତିଷ୍ଠା ଓ ସବାଇ ଘାସ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ସଂକଳ୍ପ କରି ଭୋଟରଙ୍କ ମନ ଜିଣିବ ସେହିଁ ବିଜୟ ତିଳକ ପିନ୍ଧିବ ବୋଲି ରାଜନୀତି ମହଲରେ ଶୁଣିବାକୁ ମିଳୁଛି ।