ଘୂର୍ଣ୍ଣିବଳୟ ଆଣିଲା ଅନୁକୂଳ ପରିସ୍ଥିତି : ଆଣ୍ଡାମାନକୁ ଶୀଘ୍ର ଛୁଇଁବ ମୌସୁମୀ

723

କନକ ବ୍ୟୁରୋ :  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କେରଳରେ ଜୁନ୍‌ ୧ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିସାରିଛି। କିଛି ମଡେଲ କିନ୍ତୁ ସୂଚାଉଛନ୍ତି ଯେ ଏହା ବିଳମ୍ବରେ ଆସିବ। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଲାଣି। ଚଳିତ ବର୍ଷ ଯଥେଷ୍ଟ ପୂର୍ବରୁ ଆଣ୍ଡାମାନରେ ମୌସୁମୀ ସ୍ପର୍ଶ କରିବ ବୋଲି ସଙ୍କେତ ମିଳିଲାଣି। ସଂପ୍ରତି ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ମୌସୁମୀ ପାଇଁ ଅନୁକୂଳ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ଆକଳନ କରାଯାଉଛି। ସାଧାରଣତଃ ମେ’ ୨୦ ତାରିଖରେ ଆଣ୍ଡାମାନକୁ ମୌସୁମୀ ବାୟୁ ଆସିଥାଏଷ। କିନ୍ତୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ, ଭାରତ ମହାସାଗରରୁ ବଙ୍ଗୋପସାଗକୁ ମୌସୁମୀ ବର୍ଷା ଟାଣିଆଣିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏଣୁ ଆଣ୍ଡାମାନରେ ୧୬ ତାରିଖରୁ ହିଁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି। କିନ୍ତୁ ଏହା ଶ୍ରୀଲଙ୍କା ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବାର ସମ୍ଭାବନା ଥିବାରୁ କେରଳ ମଧ୍ୟ ଆସିବାକୁ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତା ୧୬ରେ ମୌସୁମୀ ଆଣ୍ଡାମାନ ଛୁଇଁପାରେ। କିନ୍ତୁ ଏହା ଶ୍ରୀଲଙ୍କା କିମ୍ବା କେରଳ କେବେ ଛୁଇଁବ ସେ ନେଇ ଏବେ ସ୍ପଷ୍ଟ କହିହେବ ନାହିଁ। ୧୬ ତାରିଖ ବେଳକୁ ଏ ସଂକ୍ରାନ୍ତରେ ସ୍ପଷ୍ଟଚିତ୍ର ଆସିବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ଆକଳନ କହୁଛି ଜୁନ୍‌ ୧ରେ ହିଁ ମୌସୁମୀ କେରଳ ଛୁଇଁବ। ବର୍ତ୍ତମାନର ସ୍ଥିତି ଦେଖି ନିର୍ଧାରିତ ସମୟରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ସୃଷ୍ଟି ହେଉଥିଲେ ମଧ୍ୟ ସେତେବେଳେ ସମୁଦ୍ରର ସ୍ଥିତି ଅନୁଯାୟୀ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ କିମ୍ବା ଶୀଘ୍ର ଆସିପାରେ। ଗତ ୧୦ ବର୍ଷ ମଧ୍ୟରେ ୨୦୧୬ରେ ସବୁଠୁ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୮ରେ ମୌସୁମୀ କେରଳ ଆସିଥିବା ବେଳେ ୨୦୦୯ରେ ମେ’ ୨୩ ଆଡ଼କୁ ‌ମୌସୁମୀ କେରଳ ଛୁଇଁଯାଇଥିଲା।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଭାରତ ମହାସାଗରରୁ ବଙ୍ଗୋପସାଗରକୁ ସମ୍ଭାବ୍ୟ ବାୟୁ ପ୍ରବାହିତରୁ ଜଣାପଡ଼ୁଛି ଯେ ଆଣ୍ଡାମାନରେ ୧୩ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୮ ତାରିଖ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ନିକୋବର ଦ୍ବୀପ ଉପରେ ରହିଥିଲା। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୩ ତାରିଖ ଦିନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ ହିଁ ଭାରତ ମହାସାଗରରୁ ବଙ୍ଗୋପସାଗକୁ ମୌସୁମୀ ବର୍ଷା ଟାଣିଆଣିବ। ଏଣୁ ଆଣ୍ଡାମାନରେ ୧୩ ତାରିଖଠାରୁ ବର୍ଷା ଲାଗିରହିବ। ସ୍ବାଭବିକ ଭାବେ ଆଣ୍ଡାମାନରେ ମେ’ ୨୦ରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ସେଠି ଦୁଇ ତିନି ଦିନ ଆଗରୁ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି। ବି‌‌ଶେଷ କରି ଆଣ୍ଡାମାନରୁ ଶ୍ରୀଲଙ୍କା ହୋଇ ମୌସୁମୀ କେରଳ ଛୁଇଁଥାଏ। ତେବେ ଯାହା ଜଣାପଡ଼ୁଛି ଶ୍ରୀଲଙ୍କାରେ ମୌସୁମୀ ବର୍ଷ‌ା ଆରମ୍ଭ ହେବାରେ କିଛି ବିଳମ୍ବ ହୋଇପାରେ। ସ୍ବାଭାବିକ ଭାବେ ସେଠି ୨୪ରୁ ୨୫ ମେ’ ଭିତରେ ମୌସୁମୀ ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷା ଏହା ବିଳମ୍ବ ହେବ। ଏଣୁ ଭାରତକୁ ବା କେରଳକୁ ମୌସୁମୀ ଛୁଁଇବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଶ୍ରୀ ପଶୁପାଳକ କହିଛନ୍ତି, ଆଣ୍ଡାମାନରେ ମୌସୁମୀ ବର୍ଷା ଜଲ୍‌ଦି ହେବାର ମାନେ ନୁହେଁ ଯେ କେରଳକୁ ମଧ୍ୟ ଏହା ଜଲ୍‌ଦି ଛୁଇଁବ। ସ୍ବାଭାବିକ ଭାବେ କେରଳରେ ଜୁନ୍‌ ୧ରେ ମୌସୁମୀ ଛୁଇଁଥାଏ।