କନକ ବ୍ୟୁରୋ : ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବ। ହେଲେ ବଡ଼ ବର୍ଷା ହେବନି। ଅସରା, ଦି ଅସରା ବର୍ଷା ହୋଇ ବନ୍ଦ ହୋଇଯିବ। ଅଗଷ୍ଟ ପରେ ଓଡ଼ିଶାରେ ବର୍ଷା ବଢ଼ିବ।  କିନ୍ତୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ପ୍ରବଳ ଖରା ହେବ। ଏଥର ଏପ୍ରିଲ୍ରୁ ଅଗଷ୍ଟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଭଳି ଖରା  ଅନୁଭୂତ ହେବ। ଅଗଷ୍ଟରୁ ଭଲ ବର୍ଷା ହେଲେ ବି ସେପ୍ଟେମ୍ବର ଓ ଅକ୍ଟୋବରରେ ଓଡ଼ିଶା ଉପକୂଳକୁ ବାତ୍ୟା ଭୟ ରହିଛି। ଚଳିତବର୍ଷ ମୌସୁମୀ ବାୟୁ ଏଲନିନୋ ଦ୍ବାରା ପ୍ରଭାବିତ ହେବାକୁ ଥିବାରୁ ରାଜ୍ୟରେ ଏମିତି ସ୍ଥିତି ଉପୁଜିବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍ ଏବଂ ଆମେରିକାର ନେସନାଲ ଓସେନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ ସଂସ୍ଥା ପୂର୍ବାନୁମାନ କରିଛି।
Advertisment
publive-imageଦୁଇ ଅନ୍ତର୍ଜାତୀୟସ୍ତରର ସଂସ୍ଥାଙ୍କ ଏହି ପୂର୍ବାନୁମାନ ଯଦି ଠିକ୍ ହୁଏ ତେବେ ଏଥର ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ଏପ୍ରିଲ-ମେ’ରେ ଧାନ ବୁଣା ହେଉଥିବାବେଳେ ଜୁନରେ ଭଲ ବର୍ଷା ଧାନ ରୋଇବାକୁ ସାହାଯ୍ୟ କରେ। ହେଲେ ଜୁନ୍ ଓ ଜୁଲାଇରେ ସ୍ବଳ୍ପ ବୃଷ୍ଟି ହେଲେ ଏଥର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଲେଣି। ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ଲଗାତର ଭାବେ ବଢ଼ିଚାଲିଛି। ଆଗକୁ ମଧ୍ୟ ବଢ଼ିବାର ସମ୍ଭାବନା ଅଛି। ତେଣୁ ଏଲନିନୋ ପ୍ରଭାବ ପୂର୍ବ ଭଳି ମାର୍ଚ୍ଚରୁ ମେ ଶେଷ ପର୍ଯ୍ୟନ୍ତ ନ ରହି ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିବ। ଆମେରିକାର ନେସନାଲ ଓସେନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍ ସଂସ୍ଥା ପୂର୍ବାନୁମାନ କରିଛି ଯେ, ଚଳିତବର୍ଷ ଓଡ଼ିଶାରେ ଜୁନ୍ ଓ ଜୁଲାଇରେ ଏଲନିନୋ ପ୍ରଭାବ ୮୦% ସକ୍ରିୟ ରହିବ। ଅଗଷ୍ଟ, ସେପ୍ଟେମ୍ବରରେ ୬୦% ସକ୍ରିୟ ରହିବ। ଯାହା ମୌସୁମୀ ବାୟୁକୁ ପ୍ରଭାବିତ କରିବ। ମୌସୁମୀ ବାୟୁ ଧାର୍ଯ୍ୟ ସମୟରେ ଉପକୂଳ ଛୁଇଁଲେ ବି ପ୍ରଭାବ ଜୋର୍ ରହିବନି।
publive-imageଆମେରିକୀୟ ସଂସ୍ଥା ଆହୁରି ପୂର୍ବାନୁମାନ କରିଛି ଯେ, ଏଥର ଏଲନିନୋ ପ୍ରଭାବରେ ଓଡ଼ିଶାରେ ଖରା ବଢ଼ିବ। ସ୍ବାଭାବିକ ଠାରୁ ଅଧିକ ଖରା ହେବ। ଦକ୍ଷିଣ ଓ ପଶ୍ଚିମ ଦିଗରୁ, ସମୁଦ୍ରରୁ ତତଲା ପବନ ବହିବ। ଫଳରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ।  ଜୁନ୍ ଓ ଜୁଲାଇରେ କାଳବୈଶାଖୀ ଭଳି ବର୍ଷା ପବନ ହେବ।
ସ୍କାଏମେଟ୍ ବି ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବ ବୋଲି ପୂର୍ବାନୁମାନ କରିଛି। କିନ୍ତୁ ଦୁଇ ମାସ ବିଳମ୍ବରେ ଏହାର ପ୍ରଭାବ ପଡ଼ିବ ବୋଲି କହିଛି। ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ଓ ଜୁଲାଇରେ ଏଲନିନୋ ପ୍ରଭାବରେ ସ୍ବାଭାବିକ ଠାରୁ ଅଧିକ ଖରା ହେବ। ତେଣୁ ବର୍ଷା ସମ୍ଭାବନା କମ୍। ଅଗଷ୍ଟ ପରେ ବର୍ଷା ବଢ଼ିବ। ଅଗଷ୍ଟ-ସେପ୍ଟେମ୍ବର-ଅକ୍ଟୋବରରେ ଜୁନ୍-ଜୁଲାଇରେ ହୋଇଥିବା ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ। ମୌସୁମୀ ଜନିତ ବର୍ଷା ପ୍ରଥମରୁ କମ୍ ହେଲେ ବି ପ୍ରତ୍ୟାବର୍ତ୍ତନ ବେଳକୁ ୯୦ରୁ ୯୫% ବର୍ଷା ହେବାର ସମ୍ଭାବନା ଅଛି।