କନକ ବ୍ୟୁରୋ : ଜୁନ୍ ସରି ଜୁଲାଇର ଦୁଇ ସପ୍ତାହ ଟପିଲାଣି। ତଥାପି ସାରା ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇପାରୁନି। ଆଶା କରାଯାଉଥିଲା ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ପ୍ରବଳ ବର୍ଷା ହେବ। ଜୁନରେ ନିଅଣ୍ଟିଆ ବର୍ଷା ଜୁଲାଇରେ କିଛି ମାତ୍ରାରେ ପୂରଣ ହୋଇଯିବ। କିନ୍ତୁ ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ସ୍ଥିତିରେ କିଛି ବି ସୁଧାର ଆସିନି। ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି। ଜୁନ୍ ମାସରେ ୩୧ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୩% ରହିଛି। ଜୁନ୍ ୧ରୁ ଆଜି ମଧ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦.୩% ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୫୯ମିମି ବର୍ଷା ହେବା କଥା। କିନ୍ତୁ ୨୮୬.୧ ମିମି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/kanak/media/post_attachments/wp-content/uploads/2019/07/rainroad4953126976-979185356_6.jpg)
/kanak/media/post_attachments/wp-content/uploads/2019/06/rainfall-1.jpg)
ନବରଙ୍ଗପୁରରେ ୫.୫, ଖୋର୍ଧାରେ ୫.୭, ବରଗଡ଼ରେ ୬.୨, କଳାହାଣ୍ଡିରେ ୮.୭, ଭଦ୍ରକରେ ୮.୭ ଓ ଯାଜପୁରରେ ବର୍ଷା ପରିମାଣ ସ୍ବାଭାବିକଠାରୁ ୯.୫ ପ୍ରତିଶତ କମ୍ ରହିଛି। ସେହିପରି ମାଲକାନଗିରିରେ ୧୦.୪% କମ୍ ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୧୧, ପୁରୀରେ ୧୧.୬, ସୋନପୁରରେ ୧୩.୬, ଜଗତ୍ସିଂହପୁରରେ ୧୪.୨, କେନ୍ଦ୍ରାପଡ଼ାରେ ୧୪.୪, ଢ଼େଙ୍କାନାଳରେ ୧୬.୫ ଓ ସମ୍ବଲପୁରରେ ସ୍ବାଭାବିକଠାରୁ ୧୬.୮ ପ୍ରତିଶତ କମ୍ ବର୍ଷା ହୋଇଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଉକ୍ତ ଜିଲ୍ଲାଗୁଡ଼ିକରେ ଯଦି ଗୋଟିଏ ଦୁଇଟି ବଡ଼ ବର୍ଷା ହେବ, ତେବେ ପରିସ୍ଥିତିରେ ସୁଧାର ଆସିପାରିବ। ଆସନ୍ତା ସପ୍ତାହ ମଧ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନାହିଁ। କୋହଲା ପାଗ ଲାଗି ରହିବ। କାଳବୈଶାଖୀ ପ୍ରଭାବରେ କାଁ ଭାଁ ହଠାତ୍ ପ୍ରବଳ ବର୍ଷା ହେବ। ଯେଉଁ ୧୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି, ତାହା ଏବେ ପୂରଣ ହେବା କଷ୍ଟକର। ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ନ ହୁଏ, ତେବେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଯିବ। ଆସନ୍ତା ମାସକୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।