କନକ ବ୍ୟୁରୋ : ରଜ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା କ୍ଷୀଣ। ଏପର୍ଯ୍ୟନ୍ତ କେରଳରେ ପ୍ରାକ୍ ମୌସୁମୀ ବର୍ଷା ହୋଇନାହିଁ। ଆସନ୍ତା ସପ୍ତାହକ ଯାଏ ବି ହୋଇନପାରେ। ତେଣୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରେ ପହଞ୍ଚିବାକୁ ବିଳମ୍ବ ହେବ। ଜୁନ୍ ତୃତୀୟ ସପ୍ତାହ ହୋଇଯାଇପାରେ। ତେଣୁ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଏବେ କମିବାର ଆଶା ହିଁ ନାହିଁ। ଜୁନ୍ ପ୍ରଥମ ସପ୍ତାହରେ ବି ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
/kanak/media/post_attachments/wp-content/uploads/2019/05/Tropical_Storm_Thunder_and_Rain_Sounds_1024x1024.jpg)
ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା କମି ୩୮ଡିଗ୍ରି ପାଖାପାଖି ରହିବ। ଜୁନ୍ ୨ ଓ ୩ରେ ପୁଣି ୪୦ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲା। ତେବେ ୨୭ ଓ ୨୮ରେ ପୁଣି ୧ରୁ ୨ ଡିଗ୍ରି ବଢ଼ି ଜୁନ୍ ପହିଲା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଜୁନ୍ ୨ ଓ ୩ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା କମିପାରେ। ପଶ୍ଚିମ ଭାରତର ଶୁଷ୍କ ଗରମ ପବନ ରାଜ୍ୟକୁ ସିଧା ନ ଆସି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ପ୍ରବାହିତ ହେଉଛି। ତେଣୁ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି।