ଚନ୍ଦ୍ରରେ ଲୁଚି ରହିଛି ଅକ୍ସିଜେନ୍ । ୮ ଶହ କୋଟି ଲୋକ ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନେଇପାରିବେ ନିଶ୍ୱାସ ପ୍ରଶ୍ୱାସ । ପଢନ୍ତୁ, କେଉଁ ସଂସ୍ଥା ଦାବି କଲା ଏମିତି କଥା…

234

କନକ ବ୍ୟୁରୋ: ଚନ୍ଦ୍ରରେ କେତେ ପରିମାଣରେ ଅକ୍ସିଜେନ୍ ଅଛି? ଏହି ପ୍ରଶ୍ନର ଉତ୍ତର ଆପଣ ବି ସଠିକ୍ ଭାବେ ଜାଣିନଥିବେ । ହେଲେ ନିକଟରେ ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସି ଏମିତି କିଛି ତଥ୍ୟ ସାମ୍ନାକୁ ଆଣିଛି, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚନ୍ଦ୍ରରେ ଯେତିକି ଅମ୍ଲଜାନ ଅଛି, ସେଥିରେ ୮୦୦ କୋଟି ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ବୋଲି ଦାବି କରିଛି ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସି ।

ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସି ନାସାର ସହାୟତାରେ ନିଜର ଲୁନାର ରୋଭର ଚନ୍ଦ୍ର ଉପରେ ଲ୍ୟାଣ୍ଡ କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଥିରେ ସେଠାରେ ଥିବା ପଥରକୁ ଜମା କରି ସେଥିରୁ ଅମ୍ଲଜାନ ସଂଗ୍ରହ କରିବା ସମ୍ଭବ ହେବ । ତେବେ ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସିର କହିବା କଥା, ଏବେ ଚନ୍ଦ୍ରପୃଷ୍ଠରେ ଜାଗା କିଣିବା ସମ୍ଭବ ହେଲାଣି । ଲୋକମାନେ ସେଠାରେ କଲୋନୀ ତିଆରି କରିବାକୁ ଟଙ୍କା ଦେଲେଣି । ତେବେ ଅମ୍ଲଜାନ ବିନା ସେଠାରେ ମନୁଷ୍ୟ ବଞ୍ଚିରହିବା ଅସମ୍ଭବ । ତେଣୁ ଏହି ବିଷୟରେ ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସି ନିଜର ଗବେଷଣା ଜାରି ରଖିଛି ।

ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସିର ବୈଜ୍ଞାନିକଙ୍କ ମତ ଅନୁସାରେ, ଚନ୍ଦ୍ରର ବାୟୁମଣ୍ଡଳରେ ଅମ୍ଲଜାନ ନାହିଁ । ହେଲେ ସେଠାରେ ଅମ୍ଲଜାନ ପଥର ପରସ୍ତ ଭିତରେ ଲୁଚି ରହିଛି । ଯଦି ଆଧୁନିକ ଜ୍ଞାନକୌଶଳରେ ଏହି ପଥର ପରସ୍ତରୁ ଅମ୍ଲଜାନ ବାହାର କରିହେବ, ତେବେ ଏଥିରୁ ସାଧାରଣ ଲୋକ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ ଯେ, ଚନ୍ଦ୍ର ପୃଷ୍ଠରେ କେବଳ ପଥର ଓ ମାଟି ଦେଖିବାକୁ ମିଳିଥାଏ । ଆଉ ଅଷ୍ଟ୍ରେଲିଆର ସ୍ପେଶ୍ ଏଜେନ୍ସିର କହିବା କଥା, ଏହି ପଥର ଓ ମାଟି ଭିତରେ ହିଁ ଅମ୍ଲଜାନ ଲୁଚି ରହିଛି ।

ଅନ୍ୟପଟେ ଚନ୍ଦ୍ରପୃଷ୍ଠରେ ଅନେକ ସମୟରେ ଉଲକାପିଣ୍ଡ ମାଡ ହୋଇଥାଏ । ଯାହା ଫଳରେ ସେଠାକାର ଭୂ-ପୃଷ୍ଠରେ ଥିବା ପଥର ଓ ଖଣିଜ ପଦାର୍ଥ ଭାଙ୍ଗିଯାଇଥାଏ । ତେବେ ସେହି ପଥର ଓ ଖଣିଜ ପଦାର୍ଥରୁ ଅକ୍ଲିଜେନ୍ ମିଳିପାରିବ ବୋଲି ଦାବି କରାଯାଉଛି । ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତା ଅଛି । ଚନ୍ଦ୍ରପୃଷ୍ଠରୁ ଏହି ଅମ୍ଲଜାନ ସଂଗ୍ରହ କରିବା ସମ୍ଭବ ହେଲେ, କୋଟି କୋଟି ଲୋକ ଉପକୃତ ହୋଇପାରିବେ । ଏଥିପାଇଁ ଅନେକ ଉର୍ଜାର ଆବଶ୍ୟକତା ମଧ୍ୟ ରହିଛି । ବେଲଜିୟମର ଏ ଷ୍ଟାଟଅପ୍ ସ୍ପେଶ୍ ଆପ୍ଲିକେସନ ସର୍ଭିସ କମ୍ପାନୀର କହିବା ମୁତାବକ, ଚନ୍ଦ୍ରପୃଷ୍ଠରୁ ଅକ୍ସିଜେନ୍ ବାହାର କରିବା ପାଇଁ ନୂଆ ଟେକ୍ନୋଲୋଜି ଆପଣାଯାଉଛି । ତେବେ ୨୦୨୫ ସୁଦ୍ଧା ସେମାନେ ଏଥିରେ ସଫଳ ହେବ ବୋଲି ଅନୁମାନ କରାଯାଉଛି ।

ଆପଣ ଜାଣି ଆଶ୍ଚଯ୍ୟ ହେବେ , ଚନ୍ଦ୍ର ପୃଷ୍ଠରେ ପ୍ରତି କ୍ୟୁବିକ୍ ମିଟରରେ ୧.୪ ଟନ୍ ଖଣିଜ ପଦାର୍ଥ ରହିଛି । ଯେଉଁଥିରୁ ୬୩୦ କିଲୋଗ୍ରାମ ଅକ୍ସିଜେନ୍ ସଂଗ୍ରହ କରିହେବ । ତେବେ ଜଣେ ମଣିଷ ଗୋଟିଏ ଦିନରେ କେବଳ ୮ ଶହ ଗ୍ରାମ ଅକ୍ସିଜେନ୍ ଆବଶ୍ୟକ କରେ । ତେଣୁ ୬୩୦ କିଲୋଗ୍ରାମ ଅକ୍ସିଜେନରେ ଜଣେ ବ୍ୟକ୍ତି ଅତି ସହଜରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବେ ବୋଲି ଦାବି କରାଯାଉଛି । ଅନ୍ୟପଟେ ଚନ୍ଦ୍ରପୃଷ୍ଠରେ ଲୁଚି ରହିଥିବା ଏହି ଅମ୍ଲଜାନ ସଂଗ୍ରହ ସମ୍ଭବ ହେଲେ, ୮ ଶହ କୋଟି ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଅତି ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ ବୋଲି ଦାବି କରାଯାଇଛି ।