ଆଜିଠୁ ବଦଳିଯିବ ନିୟମ..! ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଆଉ କିଛି ପ୍ରଭାବ ପକାଇବ ସିଧା ଆପଣଙ୍କ ପକେଟ ଉପରେ: ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ ହେବାକୁ ଯାଉଛି କଣ ସବୁ ବଡ ପରିବର୍ତ୍ତନ

535

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହାଛଡା ଫେବ୍ରୁଆରୀ ୧ ତାରିଖରୁ ଅର୍ଥାତ ଆଜିଠାରୁ କେତେକ ବଡ ପରିବର୍ତ୍ତନ ହେବାକୁ ଯାଉଛ, ଯାହା ସାଧାରଣ ଲୋକଙ୍କ ସହ ଯୋଡି ହୋଇରହିଛି ଓ ଏହାର ପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡିପାରେ । ଗୋଟିଏ ପରିବର୍ତ୍ତନ ବ୍ୟାଙ୍କ ସହ ଯୋଡି ହୋଇଥିବା ବେଳେ ଆଉ କିଛି ସିଧା ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜର ପକାନ୍ତୁ ଫେବ୍ରୁଆରୀ ୧ରୁ କଣ ସବୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ବଜେଟରେ ବଡ ପରିବର୍ତ୍ତନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପିତ କରିବେ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଲୋକଙ୍କ ଠାରୁ ଉଦ୍ୟୋଗପତି ଯାଏଁ ସମସ୍ତେ ବଜେଟରୁ ଆଶ୍ୱସ୍ତି ଆଶା କରିଛନ୍ତି । ସରକାର ମଧ୍ୟ ସ୍ୱାସ୍ଥ୍ୟ, କୃଷି ଓ ରୋଜଗାରକୁ ନେଇ ବଡ ଘୋଷଣା କରିପାରନ୍ତି ।

ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳିବ

ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ଉପରେ ଲଗାମ କଷିବା ପାଇଁ ଫେବ୍ରୁଆରୀ ପହିଲାରୁ ବଡ ପଦକ୍ଷେପ ନେବାକୁ ଯାଉଛି । ଏଣିକି ଆଜିଠୁ ପିଏନବି ଗ୍ରାହକ ନନ-ଇଏମବି ଏଟିଏମ ମସିନରୁ ଟଙ୍କା ଉଠାଇ ପାରିବେ ନାହିଁ ।

ଗ୍ୟାସ ସିଲିଣ୍ଡରର ଦର ପରିବର୍ତ୍ତନ 

ଦେଶର ତୈଲ କଂପାନୀଗୁଡିକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦର ସମୀକ୍ଷା କରିଥାନ୍ତି । ରୋଷେଇ ଗ୍ୟାସର ଦର ବଢିଲେ ସିଧା ଗ୍ରାହକଙ୍କ ପକେଟ ଉପରେ ମାଡ ହେବ । ତେବେ ଗ୍ରାହକ ଗ୍ୟାସ ସିଲିଣ୍ଡର ଦର ହ୍ରାସ ନେଇ ଆଶା ରଖିଛନ୍ତି ।

ଟ୍ରେନରେ ଇ-କ୍ୟାଟରିଂ ସୁବିଧା 

କରୋନା ମହାମାରୀ ଯୋଗୁଁ ଟ୍ରେନରେ ବନ୍ଦ ଥିବା ଇ-କ୍ୟାଟେରିଂ ସୁବିଧା ଆଜିଠୁ ଆରମ୍ଭ ହେବ । ଏହି ସୁବିଧା ଯାତ୍ରୀଙ୍କୁ କେବଳ ବଛା ବଛା ଷ୍ଟେସନରେ ମିଳିବ । ଏହାଛଡା ବିଭିନ୍ନ ରୁଟରେ ରେଳ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ଅନ୍ତର୍ଜାତୀୟ ବିମାନ ସେବା 

ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ଦେଖି, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଘୋଷଣା କରିଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସ ଫେବ୍ରୁଆରୀ ପହିଲାରୁ ମାର୍ଚ୍ଚ ୨୭ ତାରିଖ ୨୦୨୧ ଯାଏଁ ପ୍ରତିଦିନ ତ୍ରିଚି ଓ ସିଙ୍ଗାପୁର ଯାଏଁ ବିମାନ ଉଡାଣ ଆରମ୍ଭ କରିବ ।