ଆସନ୍ତା ୨୪ ଘଣ୍ଟାରେ ପୂରା ଓଡ଼ିଶାକୁ ଛୁଇଁବ ମୌସୁମୀ । ଆଜି ବି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

210

କନକ ବ୍ୟୁରୋ : ସାରା ଓଡ଼ିଶା‌ରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ୨୪ ଘଣ୍ଟା ଲାଗିବ। ଶନିବାର ସଂପୂର୍ଣ୍ଣ ପୁରୀ ଜିଲ୍ଲା‌ରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଧା ଓ ନୟାଗଡ଼ର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାଯାଇଛି। ଏହାସହ କଟକ, ଯାଜପୁର ଓ ମୟୂରଭଞ୍ଜର କିଛି କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଆଉ ୨୪ ଘଣ୍ଟାରେ ଅର୍ଥାତ୍‌ ପହିଲି ରଜ ପୂର୍ବରୁ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷେ ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳ ଉପରେ ରହିଥିବା ଲଘୁଚାପ ବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ରହିଛି। ଏହା ଧୀରେଧୀରେ ସ୍ପଷ୍ଟ ଚିହ୍ନିତ ହେବ ଓ ଆସନ୍ତା ୨ରୁ ୩ଭିତରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଅତିକ୍ରମ କରିବ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ସେହିପରି ୧୪ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ବରଗଡ଼ ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୫ତାରିଖ ଦିନ ବର୍ଷାର ବିସ୍ତୃତି କମିବ ଓ ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।