କନକ ବ୍ୟୁରୋ : ମୌସୁମୀ ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଦିଲ୍ଲୀ ,ଉତରପ୍ରଦେଶ , ଉତରାଖଣ୍ଡ , ବିହାର, ମଧ୍ୟପ୍ରଦେଶ, ହରିୟାଣା, ସମେତ ବହୁ ସ୍ଥାନରେ ପ୍ରବଳ ବର୍ଷା ହେଇଛି । ଉତର ପଶ୍ଚିମ ଭାରତର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ମୈାସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ହିମାଚଳ ପ୍ରଦେଶରେ ଏତେ ମାତ୍ରାରେ ବର୍ଷା ହୋଇଛି ଯେ ଯାତାୟତରେ ଅସୁବିଧା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ଦେଖାଦେଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଅତି ପ୍ରବଳ ବର୍ଷା ନେଇ ଆଶଙ୍କା କରାଯାଇଛି । ଅନ୍ୟପଟେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହରେ ବ୍ୟାଘାତ ଘଟିଛି । ସେହିପରି ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମି ରହିଛି ।

Advertisment

ମହାରାଷ୍ଟ୍ରରେ ଆସନ୍ତା ୪ ଜୁଲାଇ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯାନବାହନ ଯାତାୟତରେ ଅସୁବିଧା ସହ ଲୋକେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟରେରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ବର୍ଷା ଯୋଗୁଁ ମୁମ୍ବାରେ ବିଭିନ୍ନ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବିହାରର ମଧୁବନୀ, ସମସ୍ତୀପୁର, ସୁପୋଲ ଆଦି ଆଠଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ସେହିପରି ଦିଲ୍ଲୀରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଗୋଆରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।

ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଲୋକମାନେ ଏକ ପ୍ରକାର ଅଣନିଶ୍ୱାସୀ ହୋଇଗଲେଣି ।