ଓଡ଼ିଶା ଛୁଇଁଲା ମୌସୁମୀ । ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।

521

କନକ ବ୍ୟୁରୋ : ଓଡ଼ିଶା ଛୁଇଁଲା ମୌସୁମୀ । ଏହାର ପ୍ରଭାବରେ ଓଡିିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟର ୮ଟି ଜିଲ୍ଲାରେ ମୌସୁମୀ ଶହେ ପ୍ରତିଶତ ପ୍ରବେଶ କରିଛି । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ୧୩ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆଉ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସକରାର । ବନ୍ୟା ପରିସ୍ଥିତି, ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଚିତ୍ର ବୟାନ କରୁଛି ବଙ୍ଗୋପସାଗର ଆକାଶରେ ବିରାଟ ଆକାରରେ ମେଘ ଛାଇଯାଇଛି । ବହୁ ସଂଖ୍ୟାରେ ବାଦଲର ଚିତ୍ର କହୁଛି ଆଗକୁ ପ୍ରବଳ ବର୍ଷା ଆସୁଛି । ଏହାର ପ୍ରଭାବରେ ଓଡିିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବଡକଥା ହେଉଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପ୍ରବେଶ କରିଯାଇଛି ।

ଓଡିଶାର ୮ଟି ଜିଲ୍ଲାରେ ମୌସୁମୀ ଶହେ ପ୍ରତିଶତ ପ୍ରବେଶ କରିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡା, ଗଜପତି ଓ ଗଞ୍ଜାମରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।

ସେପଟେ ୮ଟି ଜିଲ୍ଲାରେ ଆଂଶିକ ଭାବେ ମୌସୁମୀ ବାୟୁ ପ୍ରବେଶ କରିଛି । ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀରେ ୪୮ ଘଂଟା ମଧ୍ୟରେ ସଂପୂର୍ଣ୍ଣ ମୌସୁମୀ ସକ୍ରିୟ ହୋଇଯିବ । ମୌସୁମୀ ବାୟୁ ସକ୍ରିୟ ହେବା ଓ ଅତ୍ୟଧିକ ବାଦଲ ଖଣ୍ଡ ଜମା ହେବା କାରଣରୁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।

୧୦ଟି ଜିଲ୍ଲାରେ ପ୍ରଥମେ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ସୋନପୁର ,ବଲାଙ୍ଗିର, ନୟାଗଡ ଓ ଅନୁଗୁଳରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ କଟକ ସମେତ ଏହି ୧୩ଟି ଜିଲ୍ଲାରେ ମଧ୍ୟ ମୁଷଳଧାରାରେ ବର୍ଷା ହେବ ।

ଆଗାମୀ ୨୪ଘଂଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ବର୍ଷା ପରିମାଣ ବୃଦ୍ଧି ନେଇ ପୂର୍ବାନୁମାନ କରାଯାଇଛି । ତେବେ ଜଳସମ୍ପଦ ବିଭାଗ କହିଛି, ରାଜ୍ୟର ପ୍ରମୁଖ ଜଳଭଣ୍ଡାରଗୁଡିକରେ ବେଶୀ ପରିମାଣରେ ପାଣି ନାହିଁ, ତେଣୁ ବନ୍ୟା ହେବାର ଆଶଙ୍କା ନାହିଁ । ତେବେ ଫ୍ଲାସଫ୍ଲଡ ବା ହଠାତ୍ ନଈରେ ପାଣି ଆସି ମାଡିଯାଇପାରେ ।