ଏଥର ସଅଳ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ : ନିର୍ଦ୍ଧାରିତ ସମୟ ଆଗରୁ ମେ’ ୩୧ରେ ଛୁଇଁବ କେରଳ 

257

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍‌ ୧ ତାରିଖ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଦିନେ ପୂର୍ବରୁ ଅର୍ଥାତ ମେ’ ୩୧ ତାରିଖରେ ଛୁଇଁବ ବୋଲି ଆଜି କହିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଜୁନ୍‌ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ବର୍ଷ ମୌସୁମୀ ମେ’ ୩୧ ତାରିଖରେ କେରଳ ଛୁଇଁବ । ବିଭିନ୍ନ ‌ମଡେଲର ଆକଳନ ଅନୁଯାୟୀ ୪ଦିନ ଏପଟ ସେପଟରେ ଅର୍ଥାତ ମେ’ ୨୭ରୁ ଜୁନ୍‌ ୪ ଭିତରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ସୃଷ୍ଟି ହେଉଛି । ଏଣୁ କେନ୍ଦ୍ର ପକ୍ଷରୁ ଏକ ହାରାହାରି ହିସାବରେ ମେ’ ୩୧ରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି । ଭାରତରେ ମୌସୁମୀର ଗତିକୁ ଲକ୍ଷ୍ୟ କଲେ ଜଣାପଡ଼େ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହା ପରେ ମୌସୁମୀ ବାୟୁ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ବଙ୍ଗୋପସାଗର ମୁହାଁ ହୁଏ। ଏହି ଅନୁଯାୟୀ ମେ’ ୨୨ ତାରିଖ ଆଡ଼କୁ ଆଣ୍ଡାମାନ ସାଗରର ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ।

ଗତ ୧୬ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ କରିଥିବା ଆକଳନ ସଠିକ୍‌ ପ୍ରମାଣିତ ହୋଇଛି । ଚଳିତ ବର୍ଷ ମଧ୍ୟ ଆଇଏମ୍‌ଡିର ଆକଳନ ଆନୁଯାୟୀ ସଠିକ୍‌ ସମୟରେ ମୌସୁମୀ କେବଳ ଛୁଇଁବ ବୋଲି ଆଇଏମ୍‌ଡି ଦାବି କରିଛି ।