ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀ ଦଳ ନେତା ।

218

କନକ ବ୍ୟୁରୋ : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । କୋଭିଡ କଟକଣା ଭିତରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାଵ ଆଗତ କରିବା ପରେ ଗୃହରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ଏମ୍ସ ହସ୍ପିଟାଲ ପରିସରରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ସମର୍ଥନ ଜଣାଇଛନ୍ତି ।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ ଜଣାଇବା ସହ କୋଭିଡ ଯୁଦ୍ଧରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବାକୁ ଥିବା ବେଳେ ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ ଏହି ସମୟରେ ୧୨ଟି ବିଲ ଆସିବାକୁ ଥିବା ବେଳେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ମଧ୍ୟ ମାଳମାଳ ପ୍ରସଙ୍ଗ ରହିଛି । ତେଣୁ ଏହି ସ୍ୱଳ୍ପକାଳୀନ ଅଧିବେଶନରେ କେମିତି ଗୃହକାର୍ଯ୍ୟ ଚାଲିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।