ଲୋକସଭା ବାଚଷ୍ପତିଙ୍କ ସୂଚନା, ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ସଂସଦରେ ମୌସୁମୀ ଅଧବେଶନ ।

183

କନକ ବ୍ୟୁରୋ : ଜୁଲାଇ ୧୯ ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଲୋକସଭା ବାଚଷ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି କି କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ ଟି ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ବହୁ ସଂଖ୍ୟାରେ ସାଂସଦ ଏହି ବୈଠକରେ ଯୋଗ ଦେଇଥିଲେ ।

ଏହି ଅବସରରେ ସେ କହିଛନ୍ତି କି ନୂଆ ସଂସଦ ଭବନର କାର୍ଯ୍ୟ ୨୦୨୧ ଅକ୍ଟୋବର ମାସରେ ଶେଷ ହେବା ନେଇ ଆଶା କରାଯାଉଛି । ଏହାସହ ୨୦୨୨ ମସିହାରେ ନୂଆ ସଂସଦ ଭବନରେ ଅଧିବେଶନ ହେବ ।

କରୋନା କାଳରେ ମୌସୁମୀ ଅଧିବେଶନ ବସୁଥିବାରୁ ଶ୍ରୀ ବିର୍ଲା କହିଛନ୍ତି କି କୋଭିଡ-୧୯ କଟକଣା ଭିତରେ ଅଧିବେଶନ କରାଯିବାକୁ ଚେଷ୍ଟା କରାଯାଉଛି । ଏହାସହ ୩୧୧ ଜଣ ସାଂସଦ କୋଭିଡ ଟିକାର ଦ୍ୱିତୀୟ ଡୋଜ ନେଇସାରିଥିବା କଥା ସେ କହିଛନ୍ତି । ଅନ୍ୟପଟେ ୨୩ ଜଣ ସାଂସଦ ଟିକା ନେଇ ନାହାନ୍ତି । ଅନ୍ୟପଟେ ସାଂସଦଙ୍କ କର୍ମଚାରୀମାନଙ୍କ ପାଇଁ ବି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଥିବା କଥା ସେ କହିଛନ୍ତି । ସଂସଦ ଅଧିବେଶନ ପୂର୍ବରୁ ଜୁଲାଇ ୧୮ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହାସହ ସଂସଦରେ ବସିବାକୁ ଥିବା ମୌସୁମୀ ଅଧିବେଶନରେ ସବୁ ରାଜନୈତିକ ଦଳର ସାଂସଦମାନେ ସହଯୋଗ କରିବେ ବୋଲି ସେ ଆଶା କରିଛନ୍ତି ।

ସେପଟେ ବାଚଷ୍ପତି କହିଛନ୍ତି କି ଯେଉଁ ସାଂସଦମାନେ କୋଭିଡ-୧୯ ଟିକାର ଦୁଇଟି ଖୋରାକ ନେଇଛନ୍ତି ସେମାନଙ୍କୁ ସଂସଦ ଭବନ ଭିତରେ ପଶିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ଦେବାକୁ ପଡିବ ନାହିଁ ।