ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ : ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ

କାଲି ରଣନୀତି ସ୍ଥିର କରିବେ କଂଗ୍ରେସ ଓ ବିଜେଡି; ସମୟ କମ୍ କିନ୍ତୁ ଚର୍ଚ୍ଚା ପାଇଁ ରହିଛି ମାଳ ମାଳ ପ୍ରସଙ୍ଗ

77

କନକ ବ୍ୟୁରୋ : ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ତେଲ ଦର ବୃଦ୍ଧି ଜାରି ରହିଥିଲା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ଆକାଶଛୁଆଁ ହେଉଛି । ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଓଇଆର୍‌ସିକୁ ସରକାର ଚିଠି ଲେଖିବେ ବୋଲି ଶକ୍ତି ମନ୍ତ୍ରୀ ଗୃହରେ ଦେଇଥିବା ପ୍ରତିଶ୍ରୁତି ରଖି ନାହାନ୍ତି । ଏପ୍ରିଲ୍ ମାସ ଠାରୁ ଚଢ଼ା ଦରରେ ଖାଉଟି ବିଜୁଳି ବିଲ୍‌ ଭରୁଥିଲେ ବି ସରକାର ନିରବ । ତେଣୁ ପହିଲାରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନକୁ ଏହିସବୁ ପ୍ରସଙ୍ଗ ପୁଣି ସରଗରମ କରିବାର ସମ୍ଭାବନା ରହିଛି । ବିଧାନସଭାରେ ଦିନ ଦିନ ଧରି ହୋଇଥିବା ଆଲୋଚନା ନିଷ୍କର୍ସକୁ ସରକାର କାହିଁକି ଗ୍ରହଣ କରି ନାହାନ୍ତି, ବିରୋଧୀ ତାହାର ଜବାବ ମାଗିବାକୁ ପ୍ରସ୍ତୁତି ଚଳାଇଛନ୍ତି । କେବଳ ଏତିକି ନୁହେଁ, ଆହୁରି ଅନେକ ନୂଆ ପ୍ରସଙ୍ଗ ମଧ୍ୟ ଉଠିବ। ‌ତେବେ ଏତେ ପ୍ରସଙ୍ଗ ପାଇଁ ସମୟ ନିଅଣ୍ଟ ପଡ଼ିବ। କାରଣ ୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ରହିଛି ।

ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପିର ବିଧାୟକ ଦଳ ବୈଠକ ଆଜି ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାରୁ ଉପନେତା ବିଷ୍ଣୁ ସେଠୀ ଏଥିରେ ଅଧ୍ୟକ୍ଷତା କରିବେ । ତେଣୁ ଗୃହରେ ଶ୍ରୀ ସେଠୀଙ୍କ ନେତୃତ୍ବରେ ହିଁ ବିଜେପି ବିଧାୟକ ଦଳ ସରକାରଙ୍କୁ ମୁକାବିଲା କରିବ । କଂଗ୍ରେସ ବିଧାୟକ ଦଳ ବୈଠକ ୩୧ ତାରିଖ ସନ୍ଧ୍ୟା ୫ଟାରେ ହେବ । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଏହି ବୈଠକ ହେବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାୟକମାନେ ରଣନୀତି ପ୍ରସ୍ତୁତ କରିବେ। ମରୁଡ଼ି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଦୁର୍ନୀତି, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଶିକ୍ଷା ଓ ଶିକ୍ଷକ ଅଭାବ ସମସ୍ୟା ଗୃହରେ ଦଳ ଉଠାଇବ ବୋଲି ପୂର୍ବରୁ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇସାରିଛନ୍ତି । ବିଜେଡି ବିଧାୟକ ଦଳ ବୈଠକ ୩୧ ତାରିଖ ସନ୍ଧ୍ୟା ୬ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠ ଓ ନୂଆ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କିପରି ଜବାବ ଦିଆଯିବ, ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ।