କନକ ବ୍ୟୁରୋ : ମଣିପୁରରେ ମହିଳାଙ୍କ ସହ ହେଉଥିବା ହିଂସା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରି ବିରୋଧୀମାନେ ୪ ଦିନ ହେବ ହଟ୍ଟଗୋଳ କରୁଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ଜାରି ରହିଥିବା ବେଳେ ବିଜେପି ମଧ୍ୟ ଆକ୍ରାମକ ରୂପ ଆପଣାଇଛି । ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସଭାରେ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ କହିଛନ୍ତି କି, ମଣିପୁର ଉପରେ ଚର୍ଚ୍ଚା ପାଇଁ ଦାବି କରୁଥିବା ବିରୋଧୀ ଛତିଶଗଡ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ହୋଇଥିବା ହିଂସା ଉପରେ ଆଲୋଚନା କରିବାକୁ କାହିଁକି ଚାହୁଁ ନାହାଁନ୍ତି ।

ବୁଧବାର ଦିନ ରାଜ୍ୟସଭାରେ ବୈଠକ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ରାଜ୍ୟସଭାରେ ପ୍ରଶ୍ନକାଳ କ୍ରମରେ ବିରୋଧୀ ସାଂସଦମାନେ ମଣିପୁର ଘଟଣାକୁ ନେଇ ନାରାବାଜୀ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ରାଗି ଯାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଥିଲେ କି ବିରୋଧୀଙ୍କର ଯଦି ସାହାସ ରହିଛି ତେବେ ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଛତିଶଗଡରେ ମହିଳାଙ୍କ ଉପରେ ଯେଭଳି ଭାବେ ଅତ୍ୟାଚାର କରାଯାଉଛି ତା ଉପରେ ଚର୍ଚ୍ଚା କରନ୍ତୁ ।

ସୂଚନା ଥାଉକି ୨ମାସରୁ ଅଧିକ ସମୟ ଧରି ମଣିପୁରରେ ହିଂସା ଲାଗି ରହିଛି । ଦୁଇଟି ଜନଜାତି ସଂପ୍ରଦାୟ ମଧ୍ୟରେ ଲାଗି ଥିବା ହିଂସା ଥମିବାରେ ନାଁ ନେଉନି । ଏହାରି ମଧ୍ୟରେ ମଣିପୁରରେ ମହିଳାମାନଙ୍କ ସହ ଯେଭଳି ଅତ୍ୟାଚାର କରାଯାଉଛି ତାର କିଛି ଭିଡିଓ ଭାଇରାଲ ହେବା ପରେ ଦେଶ ବିଦେଶରୁ ଏହାକୁ କଡା ନିନ୍ଦା କରାଯାଉଛି । ଭାଇରାଲ ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ବୟାନ ରଖିଥିଲେ ବି ସଂସଦରେ ବୟାନ ରଖନ୍ତୁ ବୋଲି ବିରୋଧୀଦଳ ଦାବି କରି ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛି ।