କନକ ବ୍ୟୁରୋ : ଗୁରୁବାର ଠାରୁ ସଂସଦରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଡକାଯାଇଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ଅଧିବେଶନ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ହୋଇଛି ।

ସୂତ୍ର ସୂଚନା ମୁତାବକ ବିରୋଧୀଦଳମାନେ ମୌସୁମୀ ଅଧିବେଶନରେ ମଣିପୁର ହିଂସା ଓ ଦରବୃଦ୍ଧି ପ୍ରସଙ୍ଗରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଥିବା ବେଳେ ସରକାର ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ବୈଠକରେ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି କି, ସରକାରୀ ନିୟମ ମୁତାବକ ପ୍ରତି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ସୂତ୍ର ସୂଚନା ମୁତାବକ ମୌସୁମୀ ଅଧିବେଶନରେ ଯେଉଁ ବିଧେୟକଗୁଡିକ ଆଗତ ହେବାର ରହିଛି ସେଥି ମଧ୍ୟରୁ ତାଲିକାର ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ । ଏହାସହ ମୋଟ ୩୧ ଟି ବିଧେୟକ ଆଗତ କରିବା ନେଇ ସରକାର ପ୍ରସ୍ତୁତ ଥିବା କଥା ସୂଚନା ରହିଛି ।

ବୁଧବାର ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଜୟରାମ ରମେଶ, ପ୍ରମୋଦ ତିୱାରୀ, ଆପନା ଦଳରୁ ଅନୁପ୍ରିୟା ପଟେଲ, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଟିଏମସିରୁ ଏସଟି ହସନ, ଏଆଇଡିଏମକେରୁ ଥମ୍ବୋ ଦୋରାଇ, ଆମ୍ ଆଦମୀ ପାର୍ଟିରୁ ସଞ୍ଜୟ ସିଂ, ଅର୍ଜୁନ ରାମ ମେଘୱାଲ, ଆରଜେଡିରୁ ଏଡି ସିଂଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଏନ କେ ପ୍ରେମଚନ୍ଦ୍ରନ୍ ଉପସ୍ଥିତ ଥିଲେ ।