ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

491

କନକ ବ୍ୟୁରୋ : ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଆଜି ୧୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରପଡ଼ା ଏବଂ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ । ଏହାପରେ ସାମାନ୍ୟ ପରିବର୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି; ଜୁନ୍‌ ୧୮ ଓ ୧୯ରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ନିମ୍ନ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପଞ୍ଜାବଠାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ୧୮ ଓ ୧୯ରେ ଏହାର ପୂର୍ବ ଭାଗ ଭିତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ୧୮ରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଏବଂ ୧୯ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ରହିବ । ୧୮ ଓ ୧୯ରେ ମୟୂରଭଞ୍ଜ, କେନ୍ଦୁଝର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା(୬୫ ମିମିରୁ ଅଧିକ) ହୋଇପାରେ । ୧୯ରେ ଅବିଭକ୍ତ କଳାହାଣ୍ଡି, କୋରାପୁଟ, ଗଞ୍ଜାମରେ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ୨୧ରେ ସମଗ୍ର ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ ।