ନିଅଣ୍ଟିଆ ବର୍ଷା ସହ ଶେଷ ହେଲା ମୌସୁମୀ ଋତୁ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯.୮% କମ୍ ବର୍ଷା ରେକର୍ଡ

 ୪ ଲଘୁଚାପ ଓ ବାତ୍ୟା ଗୁଲାବ ସହ କେବଳ ସେପ୍ଟେମ୍ବରରେ ୬୫.୬ ପ୍ରତିଶତ ଅଧିକ ବର୍ଷା; କାଲି ଠାରୁ ପାଗ ସୁଖିଲା

170

କନକ ବ୍ୟୁରୋ : ଶେଷ ହେଲା ଜୁନରୁ ସେପ୍ଟେମ୍ବର, ଚଳିତ ବର୍ଷର ମୌସୁମୀ ଋତୁ । ନିଅଣ୍ଟିଆ ବର୍ଷାରେ ମୌସୁମୀ ଋତୁ ଶେଷ ହୋଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୯.୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷ ଜୁନରେ ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇରେ ୧୯ ପ୍ରତିଶତ ଓ ଅଗଷ୍ଟ ଶେଷ ବେଳକୁ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଫଳରେ ରାଜ୍ୟରେ ଚାଷ କାମ ବେଶ୍ ପ୍ରଭାବିତ ହୋଇଥିଲା । ହେଲେ ସେପ୍ଟେମ୍ବର ମାସରେ ସ୍ଥିତି ବଦଳି ଯାଇଥିଲା । ୪ ଲଘୁଚାପ ଓ ବାତ୍ୟା ଗୁଲାବ ସହ ସ୍ୱାଭାବିକଠାରୁ ୬୫.୬ ପ୍ରତିଶତ ଅଧିକ ବର୍ଷା ହୋଇଥିଲା ।

ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ୍‌ରେ ୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇରେ ୧୯% ଓ ଅଗଷ୍ଟ ଶେଷ ବେଳକୁ ୨୯% ନିଅଣ୍ଟିଆ ବର୍ଷା ହୋଇଥିଲା । ଏଭଳି ନିଅଣ୍ଟିଆ ବର୍ଷା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଷ କାର୍ଯ୍ୟକୁ ବେଶ୍‌ ପ୍ରଭାବିତ କରିଥିଲା । ତେବେ ସେପ୍ଟେମ୍ବର ମାସରେ ସ୍ଥିତି ବଦଳି ଯାଇଥିଲା ଏବଂ ସ୍ବାଭାବିକଠାରୁ ୬୫.୬% ଅଧିକ ବର୍ଷା ହୋଇଥିଲା । ସେପ୍ଟେମ୍ବରର ଅତିବୃଷ୍ଟି ଏହି ନିଅଣ୍ଟିଆ ସ୍ଥିତିକୁ ବହୁ ମାତ୍ରାରେ ଭରଣା କରିଥିଲେ ହେଁ ସମ୍ପୂର୍ଣ୍ଣ ଭରଣା କରିବାରେ ସକ୍ଷମ ହୋଇନାହିଁ । ଅନ୍ୟପଟେ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବୃଷ୍ଟି ଚାଷକୁ ଯେତିକି ଚିନ୍ତାଜନକ ସ୍ଥିତିରେ ପକାଇଥିଲା, ସେପ୍ଟେମ୍ବରର ଅତିବୃଷ୍ଟି କେବଳ ବର୍ଷାର ପରିମାଣକୁ ସମତୁଲ କରିଛି ସିନା; କିନ୍ତୁ ଚାଷ ଉପରେ ଏହାର କୌଣସି ସୁଫଳ ପଡ଼ିନାହିଁ । ଓଲଟା ସେପ୍ଟେମ୍ବରର ଅତିବୃଷ୍ଟି ଖରିଫ ଫସଲକୁ ପ୍ରଭାବିତ କରିଛି। ଫଳରେ ଚଳିତ ବର୍ଷ ରାଜ୍ୟର ଧାନ ଉତ୍ପାଦନ ପ୍ରାୟ ୧୦% କମିଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଜୁନ୍‌ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ଅବଦ୍ଧରେ ରାଜ୍ୟରେ ସର୍ବମୋଟ ୧୦୪୬ମିମି ବର୍ଷା ହୋଇଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୧୬୦ ମିମିଠାରୁ ୯.୮% ନିଅଣ୍ଟିଆ । ଏହି ସମୟ ମଧ୍ୟରେ ରାଜ୍ୟର ଗୋଟିଏ ଜିଲ୍ଲା ଜଗତସିଂହପୁରରେ ୧୪୪୧ ମିମି ବର୍ଷା ହୋଇଯାଇଛି, ଯାହାକି ସ୍ବାଭାବିକଠାରୁ ୩୨.୪% ଅଧିକ । ଏଥିସହ ରାଜ୍ୟର ୧୦ଟି ଜିଲ୍ଲା ଯଥା, ନବରଙ୍ଗପୁର, ବଲାଙ୍ଗୀର, ଭଦ୍ରକ, ସୁନ୍ଦରଗଡ଼, ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡ଼ାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସବୁଠାରୁ ଅଧିକ ନିଅଣ୍ଟିଆ ସ୍ଥିତି ୩୮.୩% ରହିଛି । ଅବଶିଷ୍ଟ ୧୯ ଜିଲ୍ଲାରେ ବର୍ଷାର ସ୍ଥିତି ସ୍ବାଭାବିକ ରହିଛି ।

ସେପ୍ଟେମ୍ବର ମାସରେ ରାଜ୍ୟରେ ୪୦୧.୬ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକ ବର୍ଷା ୨୪୨.୫ ମିମିଠାରୁ ୬୫.୬% ଅଧିକ। ନବରଙ୍ଗପୁରରେ ସ୍ବାଭାବିକଠାରୁ ୧୮.୮% ନିଅଣ୍ଟିଆ ବର୍ଷା ହୋଇଛି। ଝାରସୁଗୁଡ଼ାରେ ୨୦୩.୯ ମିମି ବର୍ଷା ହୋଇଥିଲେ ହେଁ ଏହା ସ୍ବାଭାବିକଠାରୁ ୧୫.୧% ନିଅଣ୍ଟିଆ। ଜଗତସିଂହପୁରରେ ସବୁଠାରୁ ଅଧିକ ୭୨୧ ମିମି ବର୍ଷା ହୋଇଛି; ଯାହାକି ସ୍ବାଭାବିକ ୨୮୨.୧ ମିମିଠାରୁ ୧୫୫.୯% ଅଧିକ। କଳାହାଣ୍ଡି ଓ ସମ୍ବଲପୁରରେ ସେପ୍ଟେମ୍ବର ବର୍ଷା ସ୍ବାଭାବିକ ଥିବା ବେଳେ ୨୬ଟି ଜିଲ୍ଲାରେ ବର୍ଷା ସ୍ବାଭାବିକ ବା ଅଧିକ ବର୍ଷା ‌ହୋଇଛି। ସେଥିମଧ୍ୟରୁ ୧୫ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି ।