କେରଳ ଛୁଇଁଲା ମୌସୁମୀ । ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା, ୨ କିମ୍ବା ୩ରେ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ ।

400

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ସେପଟେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଜୁନ୍ ୧୫ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ ।

କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ମୌସୁମୀ ପ୍ରଭାବରେ କେରଳରେ ଆରମ୍ଭ ହୋଇଯାଇଛି ବର୍ଷା । ଚଳିତ ବର୍ଷ ଜୁନ୍ ୧ରୁ ୫ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । କେରଳର ଲଗାଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ୯ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଦେଶରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସାରା ଦେଶରେ ୯୬ରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ସେପଟେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡରେ ପରିଣତ ହେବା ପରେ ଉତର ଦିଗରେ ଉପକୂଳ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ର ଏବଂ ଗୁଜରାଟର ସମୁଦ୍ରକୂଳବର୍ତୀ ଅଂଚଳ ଆଡ଼କୁ ମୁହାଁଇବ ଏହି ସାମୁଦ୍ରିକ ଝଡ଼ । ଆସନ୍ତା ୨ ଓ ୩ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ପାଗ କୋହଲା ରହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ସମୁଦ୍ର କୂଳବର୍ତୀ ଲୋକଙ୍କୁ ସର୍ତକ ରହିବାକୁ କୁହାଯାଇଛି । ଜୁନ୍ ୩ ତାରିଖ ସନ୍ଧ୍ୟାରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ବର୍ଷା ସହ ୧୨୦ କିଲୋମିଟର ବେଗରେ ପବନ ବହିବ ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ୧୧ଟି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୫ ଦିନ ପାଇଁ କର୍ଣ୍ଣାର୍ଟକ, ମହାରାଷ୍ଟ୍ର, ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସାମ, ପଶ୍ଚିମବଙ୍ଗ, ସିକିମ, ଛତିଶଗଡ, କେରଳ, ଓଡିଶାର କିିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।