କେରଳ ଛୁଇଁଲା ମୌସୁମୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା

94

କନକ ବ୍ୟୁରୋ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମୌସୁମୀ ପ୍ରଭବାରେ କେରଳର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ତାମିଲନାଡୁ ଓ ଲାକ୍ଷାଦୀପ ଉପକୂଳରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ କର୍ଣ୍ଣାଟକ ଓ କେରଳର ଅବଶିଷ୍ଠ ସ୍ଥାନରେ ବର୍ଷା ହେବ । ଜୁନ୍ ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର ଅଧିକାଂଶ ସ୍ଥାନରେ ଜୁନ ଦି୍ୱତୀୟ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷା ହେବା ନେଇ ଆକଳନ କରାଯାଉଛି । ତେବେ ଆଜି ମୌସୁମୀ କେରଳ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।

ଉଲ୍ଲେଖ ଥାଉ କି, ଜୁନ୍ ୧୦ ସୁଦ୍ଧା ଓଡ଼ିଶାର ସୀମାନ୍ତ ହେଇ ପ୍ରଭାବିତ ହୋଇପାରେ ମୌସୁମୀ ବାୟୁ । ଏହାର ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଜୁନ ପ୍ରଥମ ସପ୍ତାହରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ମୌସୁମୀ ବାୟୁ ପ୍ରଭାବରେ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଗତ ୨୫ ତାରିଖରେ ଆଣ୍ଡାମାନ ନିକୋବର ଦୀପପୁଂଜରେ ପ୍ରବେଶ କରିଥିବା ମୌସୁମୀ ଏବେ ବଙ୍ଗୋପସାଗରରେ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତର ମୁଖ୍ୟ ଭୂଖଣ୍ଡ ଆଡକୁ ଗତି କରିଛି ମୌସୁମୀ ବାୟୁ । ଏହାଦ୍ୱାରା ଲକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରିରେ ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ତେବେ ଏବର୍ଷ ମୌସୁମୀ ସ୍ୱାଭାବିକ ରହିବ, ସାରା ଦେଶର ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।