ଆସିଲା ଖୁସି ଖବର, ତାତିରୁ ମିଳିବ ତ୍ରାହି ! କେରଳ ଛୁଇଁଲା ମୌସୁମୀ, ଜାଣନ୍ତୁ ଓଡ଼ିଶାରେ ପହଞ୍ଚିବ କେବେ?

36

କନକ ବ୍ୟୁରୋ : ଆଜି କେରଳ ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ କେରଳ, ତାମିଲନାଡୁ, ଲାକ୍ଷାଦ୍ୱୀପ ସମେତ କର୍ଣ୍ଣାଟକ ଉପକୂଳରେ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି, ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁଛି । ଆସନ୍ତା ୧୦ ଦିନ ମଧ୍ୟରେ ମୌସୁମୀ ଓଡିଶାରେ ପ୍ରବେଶ କରିବ । ସେପଟେ ଉତର-ପୂର୍ବ ବଂଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ୍ ଆସନ୍ତା ୬ ଘଂଟା ମଧ୍ୟରେ ଡିପ୍ ଡିପ୍ରେସନ୍ର ରୂପ ନେବ । ଯାହାର ପ୍ରଭାବରେ ତାତି କମିବ ।

ମୌସୁମୀ ଛୁଇଁବା ପରେ କେରଳରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ଆଇଏମଡି କହିଛି, ଏଥର ୩ ଦିନ ପୂର୍ବରୁ ମୌସୁମୀ କେରଳ ଆସିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, କେରଳ ସମେତ ତାମିଲନାଡୁ ଓ ଲାକ୍ଷାଦ୍ୱୀପ ଉପକୂଳରେ ବି ବର୍ଷା କରାଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ମୌସୁମୀ, ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବା ସମ୍ଭାବନା ରହିଛି । କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ଓଡିଶାରେ ପ୍ରବେଶ କରିବ ମୌସୁମୀ । ତେବେ ଏହା ପୂର୍ବରୁ ଜୁନ୍ ପ୍ରଥମ ସପ୍ତାହରୁ ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଏବର୍ଷ ଶୀଘ୍ର ମୌସୁମୀ ଆସୁଥିବାରୁ ତାତିରୁ ମିଳିବ ତ୍ରାହି ।

ସେପଟେ ଉତର-ପୂର୍ବ ବଂଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ୍ ଆସନ୍ତା ୬ ଘଂଟା ମଧ୍ୟରେ ଡିପ୍ ଡିପ୍ରେସନର ରୂପ ନେବ । ଏହା ଏବେ ପୂର୍ବ ଓ ଉତର-ପୂର୍ବ ଦିଗରେ ବାଲେଶ୍ୱର ଠାରୁ ୭୧୫ କିଲୋମିଟର ଦୂରରେ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଛି । ଏହାର ପ୍ରଭାବ କିଛି ମାତ୍ରାରେ ଓଡିଶା ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।