ଜୁନ୍ ୬ରେ କେରଳ ଆସିବ, ରଜରେ ଓଡ଼ିଶା ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବନୁମାନ

ଜୁନ୍ ୬ରେ କେରଳ ଆସିବ, ରଜରେ ଓଡ଼ିଶା ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବନୁମାନ

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ଛୁଇଁଛି। ଏହା ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନରେ କିଛି ଅଞ୍ଚଳରେ ବର୍ଷା ହୋଇଛି। ଜୁନ ୬ରେ ଏହା କେରଳ ପହଞ୍ଚିବ। ହେଲେ ରଜରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି ଯେ, ପୂର୍ବ ଆକଳନ ଅନୁଯାୟୀ ମୌସୁମୀ ଆଜି ଆଣ୍ଡାମାନ ଛୁଇଁଛି। ଏହା ଜୁନ୍ ପ୍ରଥମ ସପ୍ତାହରେ (ଜୁନ୍ ୬ତାରିଖ ବେଳକୁ) କେରଳ ଆସିବ। ଏହାର ୮ରୁ ୧୦ଦିନ ଭିତରେ ଓଡ଼ିଶା ପହଞ୍ଚିବା କଥା। ତେଣୁ ଏଥର ରଜରେ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।
ବିଶ୍ୱାସ କହିଛନ୍ତି, ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶାରେ କେବେ ଛୁଇଁବ ତାହା ଠିକ୍ ଭାବେ କହିହେବ। ଆକଳନ କହୁଛି ୮ରୁ ୧୦ଦିନ ଭିତରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବ। ଏହାର ଦିନେ ଦୁଇ ଦିନ ପୂର୍ବରୁ ବି ଆସିପାରେ। ହେଲେ ଓଡ଼ିଶାରେ ଜୁନ୍ ୧୦ରେ ମୌସୁମୀ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ସେଥିରେ ସାମାନ୍ୟ ବିଳମ୍ବ ହେବ। ଏଥର ମୌସୁମୀ ଜନିତ ବର୍ଷା ସାରା ଦେଶରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ହେବ ବୋଲି ଆକଳନ କରାଯାଇଛି। ତେଣୁ ଏହାର ପ୍ରଭାବ ଓଡ଼ିଶା ଉପରେ ବି ପଡ଼ିପାରେ।

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆଇଏମଡି ପୂର୍ବରୁ ଆକଳନ କରିଥିଲା ଯେ, ମେ ୧୮ରେ ଆଣ୍ଡାମାନ ଛୁଇଁବ। ଆଜି ଛୁଇଁଛି ବୋଲି ଆଇଏମଡି କହୁଛି। କିନ୍ତୁ ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନରେ ଭଲ ବର୍ଷା ହୋଇନି। ତେଣୁ ମୌସୁମୀ ଆଣ୍ଡାମାନ ଛୁଇଁଛି ବୋଲି କହିହେବନି। ଆଇଏମଡି କର୍ତ୍ତୃପକ୍ଷ ପୂର୍ବରୁ ଯେଉଁ ଆକଳନ କରିଥିଲେ ତାକୁ ଠିକ୍ ପ୍ରମାଣିତ କରିବା ପାଇଁ ଏହା କହିଥାଇପାରିଥାନ୍ତି।

ଏହାବାଦ୍ ମୌସୁମୀ କେରଳ ଛୁଇଁବା ପରେ ହିଁ ଓଡ଼ିଶାରେ ଏହା କେବେ ପ୍ରବେଶ କରିବ ତାହା କହିହେବ। ଏବେ କିଛି କହିହେବନି। ଏଥର ସ୍ବାଭାବିକ ମୌସୁମୀ ହେବ କି କମ୍ ବର୍ଷା ହେବ ତାହା କେରଳ ଛୁଇଁବା ପରେ ହିଁ ଜଣାପଡ଼ିବ। ସେହିପରି ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ହେବାକୁ ଥିବା କାଳବୈଶାଖୀ ଜନିତ ବର୍ଷା ଉପରେ ମୌସୁମୀ ଆଗମନ ନିର୍ଭର କରୁଛି। ଉପକୂଳ ଓଡ଼ିଶାରେ ଭଲ କାଳବୈଶାଖୀ ବର୍ଷା ହେଲେ ଏହା ମୌସୁମୀ ବାୟୁକୁ ସହାୟକ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe