କନକ ବ୍ୟୁରୋ : ଏ ବର୍ଷ ଓଡ଼ିଶାରେ ଯଥା ସମୟରେ ମୌସୁମୀ ବାୟୁ ପ୍ରବେଶ କଲାପରେ ଚଳିତ ଜୁନ୍ ମାସରେ ଏଯାଏ ସ୍ବାଭାବିକ ବର୍ଷା ହୋଇଛି । ତେବେ କେଉଁଠି ଅତ୍ୟଧିକ ତ କେଉଁଠି ନିଅଣ୍ଟିଆ ବର୍ଷା ପରିଲକ୍ଷିତ ହୋଇଛି । ଚଳିତ ମାସର ମୋଟ ବର୍ଷା ପରିମାଣକୁ ମିଶାଇଲେ, ରାଜ୍ୟରେ କେବଳ ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାଯାଇଛି । ତେବେ ଆହୁରି ୪ ଦିନ ବାକି ଥିବାରୁ ଏତକ ବି ଭରଣା ହୋଇଯାଇପାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ଜୁନ୍ ୧ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ୧୭୫.୩ ମିମି ବର୍ଷା ହୋଇଥାଏ । କିନ୍ତୁ ଚଳିତବର୍ଷ ଏହି ସମୟ ମଧ୍ୟରେ ୧୬୯.୬ ମିମି ବର୍ଷା ହୋଇଛି, ଯାହା ସ୍ବାଭାବିକଠାରୁ ୩ ପ୍ରତିଶତ କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୧୦ ଜିଲ୍ଲାରେ ଅତିରିକ୍ତ ବର୍ଷା ହୋଇଥିବା ବେଳେ ଗଞ୍ଜାମ, ଗଜପତି ଓ ଭଦ୍ରକ ଆଦି ୩ ଜିଲ୍ଲାରେ ୪୦%ରୁ କମ୍ ବର୍ଷା ହୋଇଛି । ଆସନ୍ତା କିଛି ଦିନ ଅର୍ଥାତ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେଣୁ କମ୍ ବୃଷ୍ଟିପାତ ହୋଇଥିବା ଜିଲ୍ଲାଗୁଡ଼ିକରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି ।
ଅପରପକ୍ଷେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିଛି। ଏହି ଅବସ୍ଥା ଆଗକୁ ମଧ୍ୟ ଜାରି ରହିବ। ଫଳରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ତାଙ୍କ ଆକଳନ ଅନୁଯାୟୀ, ଜୁନ୍ ୨୯ ଓ ୩୦ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା ଏବଂ ୨୯ ଓ ୩୦ତାରିଖରେ ସୁନ୍ଦରଗଡ଼ ଓ ସଂଲଗ୍ନ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟାନ୍ୟ ଅଞ୍ଚଳରେ ଅଳ୍ପ କେତେକ ସ୍ଥାନରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବେଳେବେଳେ ହାଲ୍କାରୁ ସ୍ବଳ୍ପ ବର୍ଷା (୧୫ମିମି) ଓ ସ୍ଥାନେ ସ୍ଥାନେ ମଧ୍ୟମ ବର୍ଷା ହୋଇପାରେ। ତେଣୁ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ହୋଇଥିବା ୮ଟି ଜିଲ୍ଲାରେ ସ୍ଥିତି ବଦଳିବା ସମ୍ଭାବନା କମ୍। ବିଶେଷକରି ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା ଓ କନ୍ଧମାଳରେ ପରିସ୍ଥିତି ଅଧିକ ଗମ୍ଭୀର ହେବ ।
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବ। ବିଶେଷକରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜନତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହାପରେ ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ୩୦ ତାରିଖ ଆଡ଼କୁ ପୁଣିଥରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ସେ ଦିନ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବ । କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏଠାରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ଡିଗ୍ରି ମଧ୍ୟରେ ରହିପାରେ ।