ଏବର୍ଷ ଓଡ଼ିଶାରେ ସ୍ୱାଭାବିକ୍ ହେବ ମୌସୁମୀ ବର୍ଷା । ଆଇଏମଡିର ଆକଳନ ଜୁନରେ ଅଧିକ ବର୍ଷିବ ।

429

କନକ ବ୍ୟୁରୋ : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ଆସିଥାଏ ଓ ତାହାର ୧୦ରୁ ୧୨ ଦିନ ପରେ ଓଡ଼ିଶାକୁ ମୌସୁମୀ ଆସିଥାଏ । କିନ୍ତୁ ଏବର୍ଷ ତାହା ଜୁନ ୩ରେ ଆସିବାର ସମ୍ଭାବନା ରହିଛି । ଓଡ଼ିଶାକୁ କେବେ ମୌସୁମୀ ଆସିବ ତାହାର ସଠିକ ତାରିଖ ଆଉ କିଛି ଦିନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ଜୁନ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟ ମାସର ବର୍ଷା ସମ୍ପର୍କରେ ଆଗକୁ ପୂର୍ବାନୁମାନ କରାଯ଼ିବ ବୋଲି ଡ. ମହାପାତ୍ର କହିଛନ୍ତି । ସମଗ୍ର ଭାରତରେ ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୬ ରୁ ୧୦୪ ପ୍ରତିଶତ ବର୍ଷ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।