କନକ ବ୍ୟୁରୋ : ଚୀନ୍, ତାପରେ ନେପାଳ, ଏବେ ଭୁଟାନ । ସୀମାରେ ଚୀନ୍ ସହ ବିବାଦ ଜାରି ରହିଥିବା ବେଳେ ମାନଚିତ୍ରକୁ ନେଇ ନେପାଳ ଭାରତ ବିରୋଧୀ ଆଭିମୁଖ୍ୟ ବଢ଼ାଇ ଚାଲିଛି । ଏବେ ଭୁଟାନରୁ କିଛି ଚିନ୍ତାଜନକ ଖବର ଆସିଛି । ଆସାମର ଚାଷୀଙ୍କ ପାଇଁ ଭୁଟାନ ପାଣି ଛାଡ଼ୁ ନଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆସାମର ବକସା ଜିଲ୍ଲାର ଚାଷୀମାନେ ଏନେଇ ବିକ୍ଷୋଭ ମଧ୍ୟ କରିଛନ୍ତି । ଭାରତ ଓ ଭୁଟାନ ସୀମାବର୍ତୀ ଅଂଚଳର ଚାଷୀମାନେ ଏବେ ପାଣି ଅଭାବରୁ କେମିତି ଚାଷ କରିବେ ଚିନ୍ତାରେ । ଭୁଟାନ ସୀମାରେ ରହୁଥିବା ଏହି ଚାଷୀମାନେ ପାଣି ପାଇଁ ମୁଖ୍ୟତଃ ଭୁଟାନ ଉପର ନିର୍ଭର କରନ୍ତି । ଭୁଟାନରୁ ଆସୁଥିବା କେନାଲରୁ ପାଣି ଏହି ଚାଷୀମାନେ କ୍ଷେତକୁ ମଡ଼ାଇବା ସହ ଚାଷ କରନ୍ତି । ହେଲେ ଏଥର ଭୁଟାନ ସମ୍ପୃକ୍ତ କେନାଲରୁ ପାଣି ଛାଡ଼ିନାହିଁ ।
ଫଳରେ ଏହି ଚାଷୀମାନଙ୍କ କ୍ଷେତକୁ ପାଣ ମାଡ଼ିପାରୁ ନାହିଁ । ପ୍ରାୟ ୨୬ଟି ଗାଁର ପ୍ରାୟ ୬ ହଜାର ଚାଷୀ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସେମାନେ ବିକ୍ଷୋଭ କରିବା ସହ ଭାରତ ସରକାରଙ୍କ ନିକଟରେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିବା ଜଣାପଡ଼ିଛି ।