ଓଡିଶା ଛୁଇଁଲା ମୌସୁମୀ, ରାଜ୍ୟରେ ବର୍ଷା ଆରମ୍ଭ

ଓଡିଶା ଛୁଇଁଲା ମୌସୁମୀ, ରାଜ୍ୟରେ ବର୍ଷା ଆରମ୍ଭ

କନକ ବ୍ୟୁରୋ: ଓଡିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିବା ପରେ, ଓଡିଶା ସମେତ ଆଖପାଖ ଅଂଚଳର ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଆକାଶରେ ଭାସୁଛନ୍ତି ମାଳ ମାଳ ମେଘ ଖଣ୍ଡ ।ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡିଶାକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଉ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା ।

ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ସହ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜଧାନୀରେ ୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି । କିଛି ଦିନ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବାରୁ ଆଜିର ବର୍ଷା, ଲୋକଙ୍କୁ ଆଶ୍ୱସ୍ତି ଆଣିଦେଇଛି ।

ପୁରୀରେ ମଧ୍ୟ ବର୍ଷା ହୋଇଛି । ଆଉ ସେହି ବର୍ଷାରେ ଭିଜିଭିଜି ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଆଉ ବର୍ଷାରେ ଭିଜି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନିଆରା ଅନୁଭୂତି ବଖାଣିଛନ୍ତି ଜଗା ପ୍ରେମୀ । ପାଖାପାଖି ଦୁଇ ସପ୍ତାହ ବିଳମ୍ବରେ ରାଜ୍ୟକୁ ମୌସୁମୀ ଆସିଥିଲେ ବି ଆଗାମୀ ଦିନରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ଆକଳନ ଚାଷୀଙ୍କୁ ଆଶ୍ୱସ୍ତି ଆଣିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe