ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

1,385

କନକ ବ୍ୟୁରୋ : ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ। ୧୦ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅକସ୍ମାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଇ ଦିଆଯାଇଛି। ଅପରପକ୍ଷେ ୧୦ରୁ ୧୨ ତାରିଖ ମଧ୍ୟରେ କେନ୍ଦ୍ରୀୟ ବ‌ଙ୍ଗୋପସାଗର ତଥା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

‌କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁପାରେ। ଫଳରେ ଜୁନ୍‌ ୧୦ରୁ ୧୪ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପା‌ରେ। ଆସନ୍ତା ଦୁଇ ଦିନ ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧୦ ଓ ୧୧ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁନ୍‌ ୧୦ରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ୧୧ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ, ୧୨ ତାରିଖରେ ଅବପାତ ଓ ୧୩ତାରିଖରେ ଗଭୀର ଅବପାତରେ ପରିଣତ ହୋଇପା‌ରେ। ଜୁନ୍‌ ୧୦ରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର ଓ ଅବିଭକ୍ତ କୋରାପୁଟରେ ମଧ୍ୟମଧରଣର ବର୍ଷା ହେବ। ୧୨ଓ ୧୩ ତାରିଖରେ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ। ଆଜି ତୁଳନାରେ ଜୁନ୍‌ ୧୩ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧୦ରୁ ୧୨ଡିଗ୍ରି କମିବାର ସମ୍ଭାବନା ରହିଛି।