ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୁର୍ଣ୍ଣି ବଳୟ ସୃଷ୍ଟି: କାଲି ଲଘୁଚାପର ରୂପ ନେବା ସମ୍ଭାବନା; ପ୍ରଭାବରେ ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

1,142

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ମଙ୍ଗଳବାର ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ଓଡିଶାକୁ ମୌସୁମୀର ଆଗମନ ନେଇ ଅନୁକୂଳ ପରିବେଶ ସୃଷ୍ଟି କରିବ । ଲଘୁଚାପର ରୂପ ନେଇ ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରିବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୧ କିମ୍ବା ୧୨ ତାରିଖ ବେଳକୁ ଓଡିଶା, ପଶ୍ଚିମବଙ୍ଗ ଓ ଆସାମରେ ମୌସୁମୀର ପ୍ରଭାବ ଅନୁଭୂତ ହେବ । ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବ ।

କିନ୍ତୁ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ତମାନ ମୌସୁମୀର ଉତର ଭାଗ କରୱାର, ସିମୋଗା, ଟୁମକୁର, ଚିତୋର ଓ ଚେନ୍ନାଇରେ ରହିଛି । ଆଗାମୀ ୨ ଦିନ ମଧ୍ୟରେ ଏହା ଗୋଆ, କୋଂକଣ, କର୍ଣ୍ଣାଟକ, ରାୟଲସୀମାର କେତେକ ଅଂଚଳ, ତାମିଲନାଡୁର ଅନ୍ୟାନ୍ୟ ଭାଗ ସହ ଆନ୍ଧ୍ର ଉପକୂଳରେ ବର୍ଷା କରାଇବ । ପରବର୍ତୀ ୪୮ ଘଂଟାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରର ଅନ୍ୟାନ୍ୟ ଭାଗରେ ବର୍ଷା କରାଇବା ସହ ସିକିମ, ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରଭାବ ପକାଇବ ।