ଓଡିଶାରେ ଦିଆଗଲା ଟ୍ରମ୍ପ ନେଇଥିବା ଔଷଧ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦିଆଗଲା ‘ମନକ୍ଲୋନାଲ ଆଣ୍ଟିବଡି କକଟେଲ’ । ୮୨ ବର୍ଷିୟ ବୃଦ୍ଧଙ୍କ ଶରୀରରେ ହେଲା ପ୍ରୟୋଗ ।

592

କନକ ବ୍ୟୁରୋ: ଓଡିଶାରେ ଟ୍ରମ୍ପ ଔଷଧ । ରାଜ୍ୟରେ ପ୍ରଥମଥର ପାଇଁ ବ୍ୟବହାର ହେଲା ‘ଟ୍ରମ୍ପ’ ଔଷଧ । କରୋନାର ଚିକିତ୍ସା ପାଇଁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯେଉଁ କକଟେଲ ବା ଔଷଧ ଦିଆଯାଇଥିଲା, ଆଜି ପ୍ରଥମ ଥର ପାଇଁ ଓଡିଶାରେ ସେହି କକଟେଲ ବ୍ୟବହାର କରାଯାଇଛି । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଜଣେ ୮୨ ବର୍ଷିୟ ବୃଦ୍ଧଙ୍କୁ ଏହି କକଟେଲ୍ ଦିଆଯାଇଛି । ଏହା ଏକ ଆଂଟିବଡି ଔଷଧ । ସ୍ୱଳ୍ପରୁ ମଧ୍ୟମ ଧରଣର ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଏହି ଔଷଧ ପ୍ରୟୋଗ କରାଯାଏ । ଏହା ଦ୍ୱାରା ବ୍ୟକ୍ତିଙ୍କ ଦେହରେ କରୋନା ଗୁରୁତର ରୂପ ନିଏ ନାହିଁ ।

ତେବେ ଆପୋଲୋ ହସ୍ପିଟାଲରେ ୮୨ ବର୍ଷିୟ ବ୍ୟକ୍ତିଙ୍କୁ ଏହି କକଟେଲ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଗତ ମେ ମାସ ଶେଷ ସପ୍ତାହରେ ଭାରତ ସରକାର, ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଭାରତୀୟ ବଜାରରେ ଏହା ଉପଲବ୍ଧ ହୋଇଛି । ରୋଚେଫାର୍ମା ନାମକ ଔଷଧ କମ୍ପାନୀ ଏହି କକଟେଲ୍ ବିକ୍ରି କରୁଛି । ଆମେରିକା ଓ କିଛି ୟୁରୋପୀୟ ଦେଶ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଗତ ମେ ମାସ ଶେଷରେ ଭାରତ ସରକାର ମଧ୍ୟ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏହାର ଦାମ ୬୦ ହଜାର ଟଙ୍କା ରଖାଯାଇଥିଲା ।