ବିଶ୍ୱରେ ମଙ୍କିପକ୍ସ ଆତଙ୍କ । ଦେଶବାସୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ମାର୍ଗଦର୍ଶିକା । ସଙ୍ଗରୋଧରେ ରହିବାକୁ ପରାମର୍ଶ ।

112

କନକ ବ୍ୟୁରୋ: ବିଶ୍ୱରେ ଦୃତ ଗତିରେ ବ୍ୟାପିବା ଆରମ୍ବ କରିଛି ମଙ୍କିପକ୍ସ ସଂକ୍ରମଣ । ଏ ପର୍ଯ୍ୟନ୍ତ ବିଶ୍ୱର ୨୩ଟି ଦେଶରେ ବ୍ୟାପିସାରିଛି ଏହି ମାରାତ୍ମକ ଭୂତାଣୁ । ସାରା ବିଶ୍ୱରେ ମୋଟ ୨୫୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ମଙ୍ଗଳବାର ନୂଆ ମାର୍ଗଦର୍ଶିକା ଜାରିକରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସର ସମସ୍ତ ନମୁନାକୁ ନ୍ୟାସନାଲ ଇନ୍ଟଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଇବାକୁ କେନ୍ଦ୍ରଶାସିତ ଅଂଚଳ ଓ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦୃତଗତିରେ ବ୍ୟାପୁଛି ମଙ୍କିପକ୍ସ ସଂକ୍ରମଣ । ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉଛି । ମଙ୍କିପକ୍ସ ରୋଗର ଲକ୍ଷଣ ଗୁଡିକ ହେଲା, ମୁଣ୍ଡ ବିନ୍ଧା ହେବା,ଘୋଳାବିନ୍ଧା ହେବା, ଦୁର୍ବଳ ଲାଗିବା ପରି ଲକ୍ଷଣ ଦେଖାଯାଉଛି । ଏହି ରୋଗ ଆକ୍ରାନ୍ତ ହେଲେ ରୋଗୀକୁ ତୁରନ୍ତ ସଙ୍ଗରୋଧରେ ରହିବାକୁ ପଡ଼ିବ । ରୋଗୀ ଯାହା ସଂସ୍ପର୍ଶରେ ଆସିବେ, ସେମାନଙ୍କୁ ମଧ୍ୟ ସଂଗରୋଧ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହାସହ ତୁରନ୍ତ ହସ୍ପିଟାଲରେ ଭର୍ତି କରି ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛି । ମଙ୍କିପକ୍ସ ସଂକ୍ରମଣ ଆରମ୍ଭରେ ଜ୍ୱର ଆସିପାରେ ବୋଲି କୁହାଯାଇଛି । ଏହି ଜ୍ୱର ତିନି ଦିନ ପର୍ଯ୍ୟନ୍ତ ରହିପାରେ । ପୁଷ୍ଟିହୀନତା ଦେଖାଯାଉଥିବା ଅଂଚଳରେ ଏହି ରୋଗ ବ୍ୟାପିବାର ବେଶି ଆଶଙ୍କା ରହିଛି ବୋଲି ଜଣାପଡିଛି । ତେଣୁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଲେ, ଏନେଇ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି । ସେପଟେ ଅନେକ ଦେଶରେ ମଙ୍କିପକ୍ସ ବ୍ୟାପି ସାରିଥିବା ବେଳେ ଏଯାଏଁ ଭାରତରେ ଠାବ ହୋଇ ନାହିଁ ।

୨୩ଟି ଦେଶକୁ ବ୍ୟାପିସାରିଛି ମଙ୍କିପକ୍ସ । କିନ୍ତୁ ଭାରତରେ ଏଯାଏଁ ମଙ୍କିପକ୍ସ ଆକ୍ରାନ୍ତ ଠାବ ହୋଇନାହିଁ । ସେପଟେ ଭାରତ ସହ ଅନ୍ୟ ଦେଶକୁ ମଧ୍ୟ ଏହା ବ୍ୟାପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁର୍ବରୁ ସତର୍କ କରିସାରିିଛି । କେନ୍ଦ୍ର ଗାଇଡଲାଇନ ପେର ରାଜ୍ୟ ସରକାର ଗୁଡିକ ମଧ୍ୟ ମଂକିପକ୍ସକୁ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।