କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ଏବେ ପୁଣି ଚିନ୍ତା ବଢାଇଛି ମଙ୍କିଫକ୍ସ ଭୂତାଣୁ । ପ୍ରଥମେ କେରଳରୁ କିଛି ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଦିଲ୍ଲୀରୁ ବି ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡକଥା କି କେରଳରେ ଚିିହ୍ନଟ ହୋଇଥିବା ସମସ୍ତ ମଙ୍କିଫକ୍ସ ସଂକ୍ରମିତଙ୍କ ବିଦେଶ ଲିଙ୍କ ଥିବା ବେଳେ ଦିଲ୍ଲୀରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର କୌଣସି ବିଦେଶ ଯାତ୍ରାର ସୂଚନା ମିଳିନାହିଁ ।

Advertisment

ଦିଲ୍ଲୀରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତିର୍ କରାଯାଇଛି । ସଂକ୍ରମିତଙ୍କ ଠାରେ ଜ୍ୱର ରହିଥିବା ବେଳେ ତାଙ୍କ ଚମଡାରେ ଧଳା ଦାଗ ଦେଖିବାକୁ ମିଳିଛି । ଦେଶରେ ଜୁଲାଇ ୧୩ ତାରିଖରେ ପ୍ରଥମ ମଙ୍କିଫକ୍ସ ଚିହ୍ନଟ ହୋଇଥିଲା । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

କହିରଖୁ କି ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ମୁତାବକ ୧୯୫୮ ମସିହାରେ ପ୍ରଥମଥର ପାଇଁ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା । ସେତେବେଳର ଅନୁସନ୍ଧାନ ମୁତାବକ ଏହା ମାଙ୍କଡମାନଙ୍କ ଠାରୁ ସଂକ୍ରମିତ ହେଉଥିବା କଥା କୁହାଯାଇଥିଲା । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁତାବକ ୧୯୭୦ ମସିହାରେ ପ୍ରଥମଥର ପାଇଁ ମଣିଷଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା । କଂଗୋର ଜଣେ ୯ ବର୍ଷିୟ ପିଲାଠାରେ ପ୍ରଥମେ ଏହି ଭୂତାଣୁ ସଂକ୍ରମଣ ଦେଖିବାକୁ ମିଳିଥିଲା ।