ମଙ୍କିପକ୍ସ ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର: ହୁ କହିଲା, ରୂପ ବଦଳାଇବାର ଏ ଯାଏଁ ମିଳିନି ପ୍ରମାଣ

185

କନକ ବ୍ୟୁରୋ: ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିିଛି, ମଙ୍କିପକ୍ସ ରୂପ ବଦଳାଉନାହିଁ । ଏ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଛି ହୁ । ଡବ୍ଲୁଏଚ୍ଓର ବିଶେଷଜ୍ଞ କହିଛନ୍ତି ଏହି ଭାଇରସ୍ କମ୍ ମ୍ୟୁଟେସନ୍ ହୁଏ, ଅର୍ଥାତ ଏହା ନୂଆ ରୂପ ନେବା ସମ୍ଭାବନା ବହୁତ କମ୍ । ୟୁରୋପ ଓ ଉତର ଆମେରିକାରେ ପ୍ରାୟ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ୮୦ ଜଣ ସଂଦିଗ୍ଧ ରହିଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ହୋଇନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ତ୍ୟ ସଂଗଠନ । ଏଯାଏଁ ୧୨ଟି ଦେଶରେ ମଙ୍କି ପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଛି ବୋଲି କହିଥିଲା ହୁ ।

କେବଳ ସ୍ପେନରେ ୪୦ ଓ ପର୍ତୁଗାଲରେ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍କି ପକ୍ସ ବ୍ୟାପିବା ପ୍ରସଙ୍ଗରେ ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମଙ୍କି ପକ୍ସ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏହି ରୋଗର ସମ୍ଭାବ୍ୟ ଚିକତ୍ସା ଓ ଔଷଧ ପାଇଁ ଏବେ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନେ ବିଚାରବିମର୍ଶ କରୁଛନ୍ତି । ଏପଟ ଭାରତୀୟ ବିଶେଷଜ୍ଞମାନେ ସତର୍କ ରହିବାକୁ କହିଛନ୍ତି । ହେଲେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏଁ ମଙ୍କିପକ୍ସରେ କୌଣସି ମଣିଷ ସଂକ୍ରମିତ ହୋଇଥିବାର ମାମଲା ସାମ୍ନାକୁ ଆସି ନାହିଁ । ୧୯୫୮ ମସିହାରେ କେନ୍ଦ୍ରୀୟ ଆଫ୍ରିକାରେ ମାଙ୍କଡ଼ଙ୍କ ଠାରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ଏହାପରେ ୧୯୮୦ ମସିହାରେ ପ୍ରଥମେ ମଣିଷ ଆକ୍ରାନ୍ତ ହୋଇଥିଲେ ।