କନକ ବ୍ୟୁରୋ : ମଙ୍କିପକ୍ସ । ଏକ ନୂଆ ପ୍ରକାର ଭୂତାଣୁ । କରୋନା ମହାମାରୀ ପରେ ନୂଆ ପ୍ରକାର ଭୂତାଣୁ ନାଁ ଶୁଣିଲେ ମନରେ ଛନକା ପଶୁଛି । ଏପଟେ କିନ୍ତୁ ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭୂତାଣୁ । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କୟାବିସ୍ତାର କଲାଣି । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।
୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି । ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ହେଲେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ଏହା ପରଠାରୁ ଆଉ ୮ ଜଣ ସଂକ୍ରମିତ ହୋଇଥିବା ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ।
ସ୍ପେନ ଓ ପର୍ତ୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ବଡକଥା ହେଉଛି ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ଏହା ମଣିଷଙ୍କୁ ସଂକ୍ରମିତ ହୋଇଥାଏ । କିମ୍ବା ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ, ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବାର ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ରୋଗୀଙ୍କ ବିଛଣା, ପୋଷାକ ମାଧ୍ୟମରେ ବି ଏହା ବ୍ୟାପିପାରେ ।
ମାଡ଼ି ଚାଲିଛି ‘ମଙ୍କିପକ୍ସ’
- ଏକ ପ୍ରକାର ଭାଇରସ କାରଣରୁ ହୋଇଥାଏ ମଙ୍କିପକ୍ସ ରୋଗ
- ମଣିଷଙ୍କଠାରେ ଦେଖା ଯାଉଥିବା ସ୍ମଲପକ୍ସ ଭାଇରସ ପରିବାରର ମଙ୍କିପକ୍ସ ଭୂତାଣୁ
- ପରୀକ୍ଷା ପାଇଁ ଥିବା କିଛି ମାଙ୍କଡଙ୍କ ଦେହରେ ୧୯୫୮ରେ ଭୂତାଣୁ ଚିହ୍ନଟ ହୋଇଥିଲା
- ୧୯୭୦ ମସିହାରେ ମଣିଷଙ୍କଠାରେ ପ୍ରଥମେ ଏହି ଭୂତାଣୁକୁ ଚିହ୍ନଟ କରାଗଲା
- ଏହାପରେ ମଙ୍କିପକ୍ସ ରୋଗ ୧୦ଟି ଆଫ୍ରିକୀୟ ଦେଶରେ ବ୍ୟାପିଗଲା
- ୨୦୦୩ରେ ଆମେରିକାରେ ପ୍ରଥମଥର ଏହି ରୋଗ ଚିହ୍ନଟ ହୋଇଥିଲା
- ୨୦୧୭ରେ ନାଇଜେରିଆରେ ମଙ୍କିପକ୍ସ ରୋଗ ଆତଙ୍କ ସୃଷ୍ଟି କରିଥିଲା
- ଏହି ରୋଗ ଦ୍ୱାରା ପ୍ରଭାବିତଙ୍କ ଭିତରୁ ୭୫% ଥିଲେ ପୁରୁଷ
- ୨୦୧୮ରେ ବ୍ରିଟେନରେ ଏହି ମାମଲା ପ୍ରଥମଥର ସାମ୍ନାକୁ ଆସିଥିଲା
- ବିଶେଷଜ୍ଞଙ୍କ ମତରେ ଏହି ରୋଗ ବିରଳ ଏବଂ ଗମ୍ଭୀର ମଧ୍ୟ ହୋଇପାରେ
- ବର୍ତମାନ ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହି ରୋଗ ଅଧିକ ଦେଖାଯାଉଛି
- ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଲେ ବ୍ୟାପିଥାଏ ମଙ୍କିପକ୍ସ ଭୂତାଣୁ
- ଏହି ଭୂତାଣୁ ରୋଗୀଙ୍କ ଘା’ରୁ ବାହାରି ଆଖି, ନାକ ଓ ମୁହଁ ଜରିଆରେ ବ୍ୟାପେ
- ସଂକ୍ରମିତ ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ମଣିଷଙ୍କୁ ସଂକ୍ରମିତ ହୁଏ