୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଛୁଆ, କୋଳରେ ଉଠାଇ ନେଇ ହସ୍ପିଟାଲରେ ପହଞ୍ଚିଲା ମା’ ମାଙ୍କଡ । ଆଉ ତା ପରେ… ।

8,517

ମରିଗଲା ମାନବିକତା । ଏଭଳି ଦୃଶ୍ୟ ଯାହା ଦେଖିଲେ ନିଜକୁ ସଭ୍ୟ ବୋଲାଉଥିବା ମଣିଷର ମୁଣ୍ଡ ଆପଣାଛାଏଁ ତଳକୁ ହୋଇଯିବ । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା କୁନି ମାଙ୍କଡ । ବଞ୍ଚିବା ସଂଘର୍ଷ କରୁଥିଲା, ମା’ ମାଙ୍କଡ ନିଜ ଛୁଆ ମାଙ୍କଡର ଜୀବନ ବଞ୍ଚାଇବାକୁ ବାରମ୍ବାର ପ୍ରୟାସ ମଧ୍ୟ କରୁଥିଲା । ପାଖରେ ପଶୁ ହସ୍ପିଟାଲ କିନ୍ତୁ ମାଙ୍କଡର ଜୀବନ ବଞ୍ଚାଇବା ପରିବର୍ତ୍ତେ ଏହି ଦୃଶ୍ୟକୁ ଉପଭୋଗ କରୁଥିଲା ବିବେକହୀନ ମଣିଷ । ଆଉ ଶେଷରେ ଜୀବନ ମୃତ୍ୟୁର ଲଢେଇରେ ହାରି ଯାଇଥିଲା କୁନି ମାଙ୍କଡ । ମା’ କୋଳରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡିଥିଲା । ଏଭଳି ଏକ ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସିହୋର ଅଞ୍ଚଳରେ ଏକ କୁନି ମାଙ୍କଡ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଆହତ ହୋଇ ନାଳରେ ପଡି ଛଟପଟ ହେଉଥିଲା । ପାଖରେ ଥିବା ମା’ ମାଙ୍କଡ ନିଜ ଛୁଆକୁ ବଞ୍ଚାଇବା ପାଇଁ ବାରମ୍ବାର ପ୍ରୟାସ କରି ଚାଲିଥିଲା । ସବୁପରେ ବି ସେ ପଶୁ ନା ପାଟି ଫିଟାଇ କାହାକୁ ବା କହିବ । କିନ୍ତୁ ମା’ ମାଙ୍କରଡ କରୁଣ ଚାହାଣି ଅନେକ କଥା କହୁଥିଲା । ବାଟରେ ଯାଉଥିବା ମଣିଷକୁ ନିଜ ଛୁଆକୁ ବଞ୍ଚାଇବା ପାଇଁ ସତେ ଯେମିତି ସହାୟତା ମାଗୁଥିଲା ମା’ । କିନ୍ତୁ ବାଟରେ ଯାଉଥିବା ମଣିଷ ପାଇଁ ଏହି ଦୃଶ୍ୟ ଯେମିତି ସାଧାରଣ ଥିଲା । ସମସ୍ତେ ଫଟୋ ଉଠାଇ ମଜା ନେଉଥିଲେ କିନ୍ତୁ ସହାୟତା ପାଇଁ ଯେପରି କାହାର ହାତ ଆଗକୁ ବଢୁନଥିଲା ।
ବିବେକହୀନ ମଣିଷ ଠାରୁ ସହାୟତାର ଆଶା ମଉଳିବା ପରେ ନିଜ ଛୁଆକୁ ଧରି ପଶୁ ଚିକିତ୍ସାଳୟରେ ପହଞ୍ଚିଥିଲା ମା’ମାଙ୍କଡ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ପଶୁ ଚିକ୍ରିସାଳୟର ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲକୁ ନିଜ ଛୁଆକୁ ଧରି ମା’ ମାଙ୍କଡ ଆସିବା ପ୍ରଥମ ଘଟଣା । କିନ୍ତୁ ଆମେ ଆହତ କୁନି ମାଙ୍କଡର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲୁ । ତେବେ ମା’ ମାଙ୍କଡ ଛୁଆ ମାଙ୍କଡ ଦେହରେ ହାତ ମାରିବାକୁ ନ ଦେଇ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା । ତେଣୁ କୁନି ମାଙ୍କଡର ଚିକିତ୍ସା କରାଯାଇପାରିଲା ନାହିଁ । ତେବେ ପରବର୍ତ୍ତୀ ସମୟରେ ମାଙ୍କଡକୁ ଚିକିତ୍ସା କରିବାକୁ ଆଣିବା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା ।