ଲୋକସଭାରେ ଉଠିଲା ମାଙ୍କଡ ଆତଙ୍କ ପ୍ରସଙ୍ଗ । ବିଜେପି ସାଂସଦ ହେମାମାଳିନୀ କହିଲେ, ମାଙ୍କଡ ଏବେ ଆଉ ଫଳ ନୁହେଁ ସିଙ୍ଗଡା ଖାଉଛନ୍ତି, ଫ୍ରୁଟି ପିଉଛନ୍ତି ।

234

ଲୋକସଭାରେ ଉଠିଲା ମାଙ୍କଡ ପ୍ରସଙ୍ଗ । ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ ମଥୁରା ଓ ଵୃନ୍ଦାଵନରେ ମାଙ୍କଡଙ୍କ ଆତଙ୍କ ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମାଙ୍କଡଙ୍କ ପାଇଁ ‘ମାଙ୍କଡ ସଫାରୀ’ ନିର୍ମାଣ କରିବାର ଆବଶ୍ୟକତା ରହିଛି । ଶୂନ୍ୟକାଳ ସମୟରେ ଯେତେବେଳେ ହେମା ଏହି ପ୍ରସଙ୍ଗ ଉଠାଇଥିଲେ ଅନ୍ୟ ସଦସ୍ୟମାନେ ମଧ୍ୟ ହେମାଙ୍କ କଥାକୁ ସମର୍ଥନ କରିଥିଲେ ।

ଦେଶର ବିଭିନ୍ନ ଅଂଚଳରେ ମାଙ୍କଡଙ୍କ ଆତଙ୍କରେ ଲୋକମାନେ ହଇରାଣ ହେଉଥିବାର କିଛି ସାଂସଦ ସଂସଦରେ କହିଥିଲେ । ତେବେ ହେମା ଗୃହ ବାହାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ମାଙ୍କଡଙ୍କ ପାଇଁ ସଫାରୀ ନିର୍ମାଣ ହେଲେ ଏଥିରେ ଫଳ ଗଛ ରହିବା ଆବଶ୍ୟକ ।ଜଙ୍ଗଲରେ କଣ୍ଟା ଜାତୀୟ ବୃକ୍ଷ ରହୁଛି, ଯେଉଁଥିରେ ଫଳ ଫଳିଲେ ମଧ୍ୟ ମାଙ୍କଡଙ୍କୁ ଖାଇବାକୁ ଅସୁବିଧା ହୋଇଥାଏ । ତେଣୁ ସଫାରୀ କରିବା ପୂର୍ବରୁ ଜଙ୍ଗଲରେ ଫଳ ଗଛ ଲଗାଇବାର ଆବଶ୍ୟକତା ରହିଛି ।

ଏହାଛଡା ହେମା କହିଛନ୍ତି, ମାଙ୍କଡମାନେ ବର୍ତ୍ତମାନ ଏଭଳି ଅଭ୍ୟାସ କରୁଛନ୍ତି ଯାହାକି ତାଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ବର୍ତ୍ତମାନ ମାଙ୍କଡମାନେ ଫଳ ଖାଇବାକୁ ପସନ୍ଦ କରୁନାହାନ୍ତି, ବରଂ ମାଙ୍କଡମାନେ ସିଙ୍ଗଡ଼ା ଓ ଫ୍ରୁଟି ପିଇବାକୁ ପସନ୍ଦ କରୁଛନ୍ତି।