କରୋନାର ନୂଆ ରୂପକୁ ନେଇ ଚିନ୍ତା : ନୂଆ ଭାରିଆଣ୍ଟ ‘ଏମୟୁ’କୁ ଅଧିକ ଅନୁଧ୍ୟାନ ପାଇଁ ଭାଇରସ-ଅଫ ଇଂଟରେଷ୍ଟ ତାଲିକାରେ ରଖିଲା ଡବ୍ଲୁଏଚଓ

ସେପଟେ କେରଳରେ ସଂକ୍ରମଣ ସ୍ଥିତି ସଙ୍ଗୀନ; ୨୪ ଘଂଟାରେ ୩୨ ହଜାରରୁ ଅଧିକ ମାମଲା

134

କନକ ବ୍ୟୁରୋ : କରୋନାର ନୂଆ ରୁପ ବିଶ୍ୱ ପାଇଁ ବିପଦ ଆଣିପାରେ । କରୋନା ଭୂତାଣୁର ଏହି ନୂଆ ରୂପକୁ ଏମ-ୟୁ ନାମ ଦିଆଯାଇଥିବା ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମେ ଏହି ମ୍ୟୁଟାଂଟ ଭୁତାଣୁ କଲୋମ୍ବିଆରେ ଜାନୁୟାରୀ ମାସରେ ଚିହ୍ନଟ କରାଯାଇଥିବା ଓ ଅଗଷ୍ଟ ମାସରେ ଭାଇରସ ଅଫ ଇଂଟରେଷ୍ଟ ଶ୍ରେଣୀରେ ରଖିଛି ଡବ୍ଲୁଏଚଓ । ଏହି ନୂଆ ଭୁତାଣୁର ବୈଜ୍ଞାନିକ ନାମ ଦିଆଯାଇଛି ବି ଡଟ୍ ୱାନ ଡଟ୍ ସିକ୍ସ-ଟୁ-ୱାନ ଡଟ୍ । ଏହା ଟିକାର ସୁରକ୍ଷା ବଳୟକୁ ଭେଦ କରି ସଂକ୍ରମଣ କରିବାକୁ ସକ୍ଷମ ତେବେ ଏନେଇ ଅଧିକ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ତେବେ ଏହି କରୋନାର ନୂଆ ରୁପ ବା ଏମ-ୟୁ ଭୂତାଣୁ ଅଧିକ ବେଗରେ କଲମ୍ବିଆରେ ସଂକ୍ରମଣ କରିନାହିଁ । ବର୍ତ୍ତମାନ ସୁଦ୍ଧା କଲମ୍ବିଆରେ ୪୯ ପ୍ରତିଶତ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏବେ ଏହା ଦକ୍ଷିଣ ଆମେରିକା ବ୍ୟାପିଯାଇଥିବା ସୂଚନା ମିଳିଛି । ସେପଟେ କରୋନାର ଆଉ ଏକ ନୂଆ ରୂପ ସି ଡଟ୍ ୱାନ ଡଟ୍ ଟୁ ଏବେ ବିଶ୍ୱର ୮ଟି ଦେଶକୁ ବ୍ୟାପିଗଲାଣି । ତେଣୁ ଏହି ନୂଆ ଭାରିଆଣ୍ଟ ତୃତୀୟ ଲହର ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଶେଷ ପାନଡେମିକ ବୁଲେଟିନ୍ ଅନୁସାରେ ଏବେ ୫ ପ୍ରକାର ଭାରିଆଣ୍ଟ ଏଟା, ଲୋଟା, କାପା ଲାମଡା ଓ ଏମୟୁ ଭାରିଆଣ୍ଟକୁ ଅଧିକ ଅନୁଧ୍ୟାନ ପାଇଁ ତାଲିକାଭୁକ୍ତ କରାଯାଇଛି ।