କନକ ବ୍ୟୁରୋ : ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ପୁଲିସର ରେଡ ବେଳ ଉଦ୍ଧାର ହୋଇଛି ୮ରୁ ୧୦ ଗୋଧୀ । ଏହିଅଂଚଳରେ ଗୋଧୀ ମାଂସ ଓ ଚମଡା ବିକ୍ରୀ ହେଉଥିବା ଖବର ପାଇଁ ପୁଲିସ ରେଡ କରଥିଲା । ଆଉ ଏହି ସମୟରେ ଜଣକ ଘରୁ ୮ରୁ ୧୦ ଗୋଧୀ ପଡିଥିବା ଦେଖିବାକୁ ମିଳିଥିଲା । ପୁଲିସକୁ ଦେଖି ୫ରୁ ୬ଜଣ ଦୌଡି ପଳାଇଥିବାବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସ୍ଥାନୀୟ ଜଣେ ମହିଳା କହିଛନ୍ତି, ଗୋଧୀଙ୍କୁ ରୋଷେଇ କରି ଖାଇବା ପାଇଁ ଅଣାଯାଇଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ, ଜଗନ୍ନାଥ ନଗର ପ୍ରବେଶ ରାସ୍ତା ପୋଲ ନିକଟରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ଲୋକଙ୍କ କାନରେ ବାଜିଥିଲା। କିନ୍ତୁ କେହି ସେଠାକୁ ଯାଇ ନ ଥିଲେ। ତେବେ ସନ୍ଧ୍ୟାରେ ମଧ୍ୟ ସେଠାରେ କିଛି ଲୋକ ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ଦେଖି ସ୍ଥାନୀୟ ଲୋକ ପହଞ୍ଚିଥିଲେ। ସେମାନେ ଏକ ଘର ଭିତରେ ଦୁଇଟି ବସ୍ତାରେ ଗୋଧି ରଖାଯାଇଥିବା ଦେଖିବାକୁ ପାଇଥିଲେ। ଦୁଇଟି ଗୋଧି ତଳେ ବନ୍ଧା ଯାଇଥିବାବେଳେ ପାଖରେ ରକ୍ତ ଛିଟା, କିଛି ମାଂସ ଖଣ୍ଡ ମଧ୍ୟ ପଡ଼ିଥିବା ସ୍ଥାନୀୟ ଲୋକ କହିଥିଲେ। ଏହା ଦେଖି କିଛି ଲୋକ ସେଠାରୁ କଟା ଯାଇଥିବା ମାଂସକୁ ଅଖାରେ ଭର୍ତ୍ତି କରି ପଳାଇଥିଲେ। ଧୀରେ ଧୀରେ ଲୋକ ରୁଣ୍ଡ ହେବା ପରେ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଯାଇଥିଲା। ପିସିଆର ଭ୍ୟାନ୍ ପହଞ୍ଚି କ୍ରିଷ୍ଣା ଓ ରାଘବକୁ ଧରିବା ସହ ୮ରୁ ୧୦ ଗୋଧୀ ଜୀବନ୍ତ ଗୋଧି ଉଦ୍ଧାର କରିଥିଲା। ଏହା ପରେ ସିଟି ଫରେଷ୍ଟ ଡିଭିଜନକୁ ଖବର ଦିଆଯାଇଥିଲା। ବନ କର୍ମଚାରୀମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ଅଟକ ଦୁଇ ଜଣଙ୍କୁ ଓ ଜୀବନ୍ତ ଗୋଧି ହସ୍ତାନ୍ତର କରାଯାଇଥିଲା।

ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ସୋମବାର ସକାଳୁ ଏହି ଗୋଧି ମାଂସ ଓ ଚମଡ଼ା ବେପାର ଆରମ୍ଭ ହୋଇଥିଲା। କିଲୋ ୫ ଶହରୁ ଅଧିକ ଟଙ୍କାରେ ମାଂସ ବିକ୍ରି ହେଉଥିବା ବେଳେ ଚମଡ଼ା ୮ଶହରୁ ୧ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। କେତେକ ଲୋକ ମାଂସ ଓ ଚମଡ଼ା ନେଇଛନ୍ତି। ଆଉ କେତେକ ଲୋକ ନେବା ପାଇଁ ଛିଡ଼ା ହୋଇଥିଲେ। କିନ୍ତୁ ପୁଲିସ ଆସିବା ଦେଖି ସେମାନେ ପଳାଇ ଯାଇଥିଲେ। ଅଭିଯୁକ୍ତଙ୍କ ଘର ନିକଟରେ ରହୁଥିବା ଜଣେ ସମ୍ପର୍କୀୟ କହିଛନ୍ତି, ଘରର ପୁରୁଷ ଲୋକ କାମକୁ ଯାଇଥିଲେ। ସେଇଠି କିଛି ଗୋଧି ପାଇଲେ। ଆମେ ବାପ, ଅଜା ଅମଳରୁ ଗୋଧି ଖାଉଛୁ। ବର୍ଷା ଦିନ ବୋଲି ଗୋଧି ବାହାରିଥିବାରୁ ଧରିକି ନେଇ ଆସିଲେ। ଆମେ ମିଳିମିଶି ରୋଷେଇ କରି ଖାଇଥାନ୍ତୁ।