୨ଲକ୍ଷ ୫୯ ହଜାର ୨୮୦ ଚିଟ୍ ଫଣ୍ଡ ଜମାକାରୀଙ୍କୁ ଫେରାଯିବ ଟଙ୍କା । କଟକ ଏଡିଏମଙ୍କ ଆବେଦନନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଅଦାଲତ

369

କନକ ବ୍ୟୁରୋ : ୨ଲକ୍ଷ ୫୯ ହଜାର ୨୮୦ ଚିଟ୍ଫଣ୍ଡ ଜମାକାରୀଙ୍କୁ ଫେରାଯିବ ଟଙ୍କା । କଟକ ଏଡିଏମଙ୍କ ଆବେଦନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତ । ୮ହଜାର ଟଙ୍କା ବା ତା ଠାରୁ କମ୍ ଟଙ୍କା ନିବେଶ କରିଥିବା ଜମାକାରୀ ଟଙ୍କା ଫେରସ୍ତ କରାଯିବ । ଜିଏଲପି ଡେଭଲପର୍ସ ଓ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ନିବେଶ କରିିଥିବା ଏହି ଜମାକାରୀଙ୍କୁ ମୋଟ୍ ୯୨କୋଟି ୫୮ଲକ୍ଷ ୭୮ହଜାର ୨୦୧ଟଙ୍କା ପୈଠ କରାଯିବ । କଟକ ଏଡିଏମ ତଥା ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୫ତାରିଖରେ ଦାୟର ଆବେଦନକୁ କଟକ ସ୍ୱତନ୍ତ୍ର ଅଦାଲତ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଜିଏଲପି ଡେଭଲପର୍ସ ଓ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡର ସ୍ଥାବର ଓ ଅସ୍ଥାବର ସମ୍ପତି ନିଲାମରୁ ମିଳିଥିବା ଅର୍ଥରୁ ଜମାକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଜମାକାରୀଙ୍କୁ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଚିଠି ଲେଖାଯାଇଛି । ଜିଏଲପି ଡେଭଲପର୍ସ ଓ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ଜମା କରିଥିବା ଅର୍ଥ ବାବଦ ପ୍ରମାଣପତ୍ର ବା ରସିଦ୍ ଓ ଇନଡେମନିଟି ବଣ୍ଡ ଦାଖଲ କରିବା ସହ ଅନ୍ୟ ଆଇନଗତ ଔପଚାରିକତା ପୂରଣ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ ବୋଲି କଟକ ଏଡିଏମ ଉମାକାନ୍ତ ରାଜ ସୂଚନା ଦେଇଛନ୍ତି ।