ରାସ୍ତାରେ ବର୍ଷିଲା ଟଙ୍କା । ଗୋଟାଇନେଲେ ଲୋକେ ।

499

କନକ ବ୍ୟୁରୋ: ରାସ୍ତାରେ ବର୍ଷିବାକୁ ଲାଗିଲା ଟଙ୍କା । ଆଉ ଗାଡି ଅଟକାଇ ଲୁଟିନେଲେ ଲୋକେ । କଥାଟା ଅଜବ ଲାଗୁଥିଲେ ବି ସତ । ଏପରି ଘଟଣା ଦେଖିବାକୁ ମିଳିଥିଲା କାଲିଫର୍ଣ୍ଣିଆ କାର୍ଲସ୍ବୈଡ୍ ଣ୍ଟରଷ୍ଟେଟ୍ ହାଇୱେ ଉପରେ ।  ଏପରି ଭାବେ  ଘଟିଥିଲା ଏହି ଘଟଣା ।

ସୂଚନା ମୁତାବକ, କାଲିଫର୍ଣ୍ଣିଆ କାର୍ଲସ୍ବୈଡ୍ ଣ୍ଟରଷ୍ଟେଟ୍ ହାଇୱେ-୫ ଦେଇ ଶୁକ୍ରବାର ଦିନ ପାଖାପାଖି ୯ଟା ସମୟରେ ଟଙ୍କାରେ ଭରିଥିବା ଟ୍ରକ୍ ଯାଉଥିଲା । ଏହି ଟ୍ରକରେ ଅନେକ ଟଙ୍କା ଭର୍ତ୍ତି ବ୍ୟାଗ୍ ରଖାଯାଇଥିଲା । ଏହି ଟ୍ରକ୍ ଏକ ଲୋକାଲ ବ୍ୟାଙ୍କରୁ ଟଙ୍କା ନେଇ ଫେଡେରାଲ ବ୍ୟାଙ୍କକୁ ଯାଉଥିଲା । ହେଲେ ଅଚାନକ ଟ୍ରକ ପଛପଟ ଡୋର ଖୋଲିଯାଇଥିଲା । ଏବଂ ପବନ ଯୋଗୁଁ  ପଛପଟେ ରଖାଯାଇଥିବା ବ୍ୟାଗ୍ ଖୋଲିଯାଇଥିଲା । ଆଉ ଚାହୁଁ ଚାହୁଁ ଚାରିଆଡେ ଟଙ୍କା ଉଡିବାକୁ ଲାଗିଲା । ଏହା ଦେଖି ରାସ୍ତାରେ ଅଟକି ଯାଇଥିଲେ ଯାତ୍ରୀ । ଗାଡି ଅଟକାଇ ପୁଳା ପୁଳା ୨୦ ଡଲାର ନୋଟ୍ ଗୋଟାଇବାରେ ଲାଗିଲେ । ଫଳରେ ରାସ୍ତାର କିଛି ଦୂର ଯାଏଁ ଟ୍ରାଫିକ୍ ଜାମ ହୋଇଯାଇଥିଲା ।

ଟଙ୍କା ନେଇଯାଉଥିବା ଟ୍ରକ୍ ମାଲିକ ଲୋକଙ୍କୁ ଟଙ୍କା ଗୋଟାଇବାକୁ ବାରଣ କରି ରୋକିବା ଯୋଗୁଁ ଲୋକମାନେ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ଟ୍ରକ ଡ୍ରାଇଭର ହାଇୱେ ପ୍ୟାଟ୍ରୋଲିଙ୍ଗ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟଙ୍କା ଫେରାଇଦେବାକୁ ଲୋକଙ୍କୁ ଚେତାବନୀ ଦେଇଥିଲେ ବି କେହି ଏହାକୁ ଶୁଣିନଥିଲେ । ଏହାପରେ ବାଧ୍ୟ ହୋଇ ପୋଲିସ ରାସ୍ତା ସିଲ୍ କରିଦେଇଥିଲା । ଫଳରେ କିଛି ଲୋକ ଡରରେ ଗୋଟାଇଥିବା ଟଙ୍କା ଫେରାଇଥିଲେ । ହେଲେ ଆଉ କିଛି ଲୋକ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ଟ୍ରକରେ ମୋଟ କେତେ ଟଙ୍କା ଥିଲା ଓ ସେଥିରୁ କେତେ ଟଙ୍କା ଉଡିଯାଇଛି ଏଯାଏଁ ତାହା ସ୍ପଷ୍ଟ ହୋଇନଥିବାବେଳେ, ନେଇଥିବା ଟଙ୍କାକୁ ତୁରନ୍ତ ଫେରାଅ , ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ଲୋକଙ୍କୁ ଚେତାବନୀ ଦେଇଛି ପୋଲିସ ।