ପାଟଣାଗଡରେ ଚାଞ୍ଚଲ୍ୟ । ଆକାଉଣ୍ଟରେ ଟଙ୍କା ନଥିଲେ ବି ଖାତାଧାରୀ ଉଠାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଯେତିକି ଟଙ୍କା ଉଠାଉଛନ୍ତି ସେତିକି ଟଙ୍କା ପୁଣି ଆକାଉଣ୍ଟକୁ ଫେରିଆସୁଛି ।

961

କନକ ବ୍ୟୁରୋ : ବ୍ୟାଙ୍କ ଖାତାରେ ଟଙ୍କା ନାହିଁ, କିନ୍ତୁ ମନ ଇଚ୍ଛା ଏଟିଏମରୁ ଟଙ୍କା ଉଠାଉଛନ୍ତି ଖାତାଧାରୀ । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଂଚଳରେ ଶନିବାର ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ନିଜ ବ୍ୟାଙ୍କ ଖାତାରେ ଟଙ୍କା ନ ଥାଇ ମଧ୍ୟ ଖାତାଧାରୀମାନେ ଆଜି ଲକ୍ଷାଧିକ ଟଙ୍କା ଉଠାଇଛନ୍ତି। କୁହାଯାଉଛି ଯେ, ଖାତାଧାରୀମାନେ ନିଜ ଆକାଉଣ୍ଟରୁ ଯେତିକି ଟଙ୍କା ଉଠାଉ ଥିଲେ, ସେତିକ ପରିମାଣରେ ଟଙ୍କା ଆପେ ଆପେ ଜମା ହୋଇଯାଉଥିଲା। ଆଉ ଏହି ଖବର ପରିବ୍ୟାପ୍ତ ହେବା ପରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି ଆକାଉଣ୍ଟଧାରୀ ।

ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକର ତେଣ୍ଡାପଦର ପଞ୍ଚାୟତ ଅନ୍ତର୍ଗତ ସିଆଲବନ୍ଧ ଗାଁରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏକ ଶାଖା ଖୋଲାଯାଇଛି। ଆଜି ଏହି ବ୍ୟାଙ୍କର ଗ୍ରାହକମାନେ କିଓସ୍କରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି। ସବୁଠାରୁ ଆଶ୍ଚର୍ୟ୍ୟର କଥା ଯେ, ଖାତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନ ଥାଇ ବି ସେମାନେ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି।

ସୂତ୍ର ଅନୁସାରେ ବ୍ୟାଙ୍କର ଗ୍ରାହକମାନେ ଯେତିକି ଟଙ୍କା ଉଠାଉଥିଲେ, ଆପେ ଆପେ ସେତିକ ଟଙ୍କା ପୁଣି ଜମା ହୋଇଯାଉଥିଲା। ତେଣୁ ଗ୍ରାହକମାନେ ଖୁସି ହେବା ସ୍ୱାଭାବିକ। ଟଙ୍କା ଉଠାଇବା ପାଇଁ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। ଅନ୍ୟ ପକ୍ଷରେ ଏଭଳି ଘଟଣା କାହିଁକି ଘଟିଲା ସେ ବାବଦରେ କିଛି ଜଣାପଡ଼ି ନାହିଁ।
ଆଜି ଡିସେମ୍ବର ମାସର ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ଥିଲା। ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କର ଅଧିକାରୀମାନଙ୍କଠାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଆସନ୍ତାକାଲି ରବିବାର ଥିବାରୁ ଘଟଣା ସଂପର୍କରେ ସୂଚନା ମିଳିବା ସମ୍ଭାବନ କମ୍‌। ତେଣୁ ସୋମବାର ବ୍ୟାଙ୍କ ଖୋଲିବା ପରେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବ୍ୟାଙ୍କ ସର୍ଭରରେ ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥାଏ ପାରେ ବୋଲି ସନ୍ଦେହ କରାଯାଉଛି।

ରାତି ୪ଟାରେ ଭେଲା ସାଗର ମେହେର ପେ ବୟ ନାମକ ଏକ ମିନି ଏଟିଏମକୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଥିଲେ । ତାଙ୍କ ଆକାଉଣ୍ଟରେ ୨୫୦୦ ଟଙ୍କା ଥିବା ବେଳେ ସେ ୨୦୦୦ ଟଙ୍କା ଉଠାଇଥିଲେ କିନ୍ତୁ ଟଙ୍କା ଉଠାଇବା ପରେ ପୁଣି ତାଙ୍କ ଆକାଉଣ୍ଟରେ ପୁଣି ୨୫୦୦ ଟଙ୍କା ରହିଥିବା ଦେଖି ପୁଣି ୧୦ହଜାର ଟଙ୍କା ଉଠାଇଥିଲେ । ପୁଣି ତାଙ୍କ ଆକାଉଣ୍ଟରେ ୧୦ ହଜାର ଦେଖିବାକୁ ପାଇଥିଲେ । । ଗାଁ ର ସମୃଦ୍ଧ ଫାଉଣ୍ଡଡେସନ ନାମକ ଏକ ମିନି ଏଟିଏମ ମଧ୍ୟ ଏକ ଲକ୍ଷ ଟଙ୍କା ଉଠାଇଥିବା ମୋତିଲାଲା ବେହେରା କହିଛନ୍ତି ।