ଚିକିତ୍ସା ପାଇଁ ପୁଣି ବାଧକ ସାଜିଲା ଟଙ୍କା । ୬ ମାସ ଶିଶୁ ପୁତ୍ର ପିଠିରେ ଅସ୍ୱାଭାବିକ ଭାବରେ ବଢିଚାଲିଛି ମାଂସ ପିଣ୍ଡୁଳା, ସରକାରୀ ସହାୟତା ଦେବାକୁ ଗୁହାରି କରୁଛି ପରିବାର

256

କନକ ବ୍ୟୁରୋ : ଦୁନିଆ କଣ ଜାଣିବା ଆଗରୁ ପିଠିରେ ଯନ୍ତ୍ରଣାର ବୋଝ । ୬ମାସର ଶିଶୁ ପୁତ୍ର ପିଠିରେ ଅସ୍ୱାଭାବିକ ଭାବେ ବଢିଚାଲିଛି ମାଂସ ପିଣ୍ଡୁଳା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ବରଗଡ଼ ଭଟଲି ରାଇଶୋଭା ଗାଁର ମଙ୍ଗୁଲୁ ଭରାସାଗରଙ୍କ ପରିବାର ।

ଜୀବନ କ’ଣ ଜାଣିବା ଆଗରୁ ଯନ୍ତ୍ରଣାରେ ଛଟପଟ ହେଉଛି କଅଁଳ ଶିଶୁ । ଜନ୍ମରୁ ଅସ୍ୱାଭାବିକ୍ ଭାବେ ବଢିଚାଲିଛି ମାଂସ ପିଣ୍ଡୁଳା । ଆଉ ଯନ୍ତ୍ରଣା ଭୋଗୁଛି ୬ମାସର ଶିଶୁପୁତ୍ର ସରୋଜ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ରାଇଶୋଭା ଗାଁରେ । ଜନ୍ମରୁ ଶିଶୁର ପିଠିରେ ଅସ୍ୱାଭାବିକ ଭାବେ ମାଂସ ପିଣ୍ଡୁଳା ବଢି ବଢି ଚାଲିଛି ।

ଏଥିପାଇଁ ପିଲାଟି ଠିକରେ ଶୋଇପାରୁନି କି ବସି ବି ପାରୁନି । ପୁଅର ଏଭଳି ଯନ୍ତ୍ରଣା ଦେଖି ବାପା ମା’ଙ୍କ ଆଖିରୁ ନିଦ ହଜିଯାଇଛି । ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଏବଂ ପରେ କଟକ ଡ଼ାକ୍ତରଖାନାକୁ ନେଇଥିଲେ ବାପା ମା’ । ହେଲେ କରୋନା କଟକଣା ଏବଂ ଆର୍ଥିକ ଅନଟନ ଶିଶୁର ଚିକିତ୍ସାରେ ବାଧକ ସାଜିଛି ।

ଚାରି ପ୍ରାଣୀ କୁଟୁମ୍ବଙ୍କୁ ନେଇ ମଙ୍ଗୁଳୁଙ୍କ ପରିବାର ଖୁବ୍ ହସଖୁସିରେ ଥିଲେ । ପ୍ରଥମେ ଝିଅ ଲିଲିମାର ଜନ୍ମ ହୋଇଥିଲା, ୧୫ବର୍ଷ ପରେ ପୁଅଟି ଜନ୍ମ ହେବାରୁ ବେଶ ଖୁସି ହୋଇଥିଲେ ଦମ୍ପତି । ତେବେ ପୁଅ ଜନ୍ମର କିଛି ଦିନ ପରେ ପିଠିରେ ମାଂସ ବଢିଚାଲିଥିଲା । ଚିକିତ୍ସା ପାଇଁ ଧାର କରଜ କରି ଡ଼ାକ୍ତରଖାନା ଦୌଡ଼ିବା ପରେ ଏବେ ଆଉ ପାଖରେ ଟଙ୍କା ନାହିଁ ।

ମଙ୍ଗୁଳୁଙ୍କର ଜମି ବାଡ଼ି କିଛି ନାହିଁ । ଭଡ଼ା ଅଟୋ ଚଳାଇଲେ ପରିବାର ଚଳିଥାଏ । ଗୋଟିଏ ପଟେ ପରିବାର ଚଳାଇବାର ବୋଝ ଅନ୍ୟପଟେ କୁନି ପୁଅର ଯନ୍ତ୍ରଣାର ଦୁଃଖ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି ।

ଦିନକୁ ଦିନ ଶିଶୁଟିର ପିଠିରେ ମାଂସ ବୃଦ୍ଧି ପାଉଛି । ଆଉ ଯନ୍ତ୍ରଣା ମଧ୍ୟ ବଢିଚାଲିଛି । ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ସହାୟତା ମିଳିଲେ ଶିଶୁଟିର ଉପଯୁକ୍ତ ଚିକିତ୍ସା ହୋଇପାରିବା ସହ ପରିବାରରେ ପୁଣି ଥରେ ହସ ଖୁସି ଫେରି ପାରନ୍ତା ବୋଲି ଆଶା କରାଯାଉଛି ।