ହସଖୁସିର ପରିବାରରେ ଛାଇଗଲା ଦୁଃଖର ବାଦଲ । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଛନ୍ତି ଶ୍ରୀପତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତାକୁ ଅନାଇବସିଛି ପରିବାର ।

749

କନକ ବ୍ୟୁରୋ : ଦହଣା ଗ୍ରାମର ଦରିଦ୍ର କୁଡିଆରେ ଦିନେ ହସଖୁସିରେ ବିତୁଥିଲା ଦିନ । ଜୀବନ ଯାତ୍ରାରେ ଯନ୍ତ୍ରଣାର କଂଟାକୁ ଭେଦି ଖୁସିରେ ପୂରା ପରିବାର କାଳାତିପାତ କରୁଥିଲେ । ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରି ସ୍ତ୍ରୀ, ଦୁଇ କୁନି କୁନି ଛୁଆ ଓ ବୁଢୀ ଆଇକୁ ନେଇ ୫ ପ୍ରାଣୀ କୁଟୁମ୍ବ ପରିବାରର ମୁହଁରେ ହସ ଫୁଟାଉଥିଲେ ନବରଙ୍ଗପୁରର ଶ୍ରୀପତି ଜାନୀ ।

ଜୀବନ ଦରିଆରେ ଶ୍ରୀପତିଙ୍କ ପରିବାରର ଡଙ୍ଗା ହସଖୁସିରେ ଆଗକୁ ବଢୁଥିଲା । କିନ୍ତୁ ହଠାତ୍ ବଦଳିଗଲା ଜୀବନ ମୋଡ । ସତେଯେମିତି ଶ୍ରୀପତିଙ୍କୁ ସଇତାନ ରୂପୀ କାଳ ମାଡିବସିଲା । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲେ ଶ୍ରୀପତି । ଆଉ ବାସ୍ ତା ପରଠୁ ଦୁଃଖ, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ୍ ହେଉଛି ପୂରା ପରିବାର ।

ପରିବାରର ମୁଖିଆ ଶ୍ରୀପତି ଶଯ୍ୟାଶାୟୀ ହୋଇପଡିଥିବା ବେଳେ, ଦୋହଲିଯାଇଛି ତେଲ ଲୁଣର ସଂସାର । ସ୍ୱାମୀ ଶଯ୍ୟାଶାୟୀ, ଆଉ ବୟସର ଅପରାହ୍ନରେ କାମ କରିବାକୁ ଅକ୍ଷମ ଆଇ ମା’ । ତେଣୁ ପରିବାରର ଭାର ଏବେ ଶ୍ରୀପତିଙ୍କ ସ୍ତ୍ରୀଙ୍କ ମୁଣ୍ଡରେ । ଗୋଟିଏ ପଟେ ସ୍ୱାମୀଙ୍କ ସେବା ଆଉ ଅନ୍ୟପଟେ ପରିବାର ପ୍ରତିପୋଷଣ କରିବାର ବୋଝ । ପରଘରେ ମୂଲ ଲାଗି ଦୈନିକ ପ୍ରାୟ ୧୦୦ ଟଙ୍କା ମଜୁରି ମିଳୁଛି । ଆଉ ଏତିକି ଟଙ୍କାରେ ପରିବାର ପେଟରେ ଦାନା ଯୋଗାଇବା ସହ ଶଯ୍ୟାଶାୟୀ ସ୍ୱାମୀଙ୍କ ଚିକିତ୍ସା କରିବା ଅସମ୍ଭବ ହୋଇପଡିଛି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଥିବାର ପୂରା ପରିବାର ଦୁର୍ବିସହ ହୋଇପଡିଛି । ତେଣୁ ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅନାଇବସିଛନ୍ତି ଶ୍ରୀପତିଙ୍କ ସ୍ତ୍ରୀ ।

ସେପଟେ ଶ୍ରୀପତିଙ୍କୁ ସାହାଯ୍ୟ କରିବା ପାଇଁ ଦହଣା ଗ୍ରାମର କିଛି ଯୁବକ ଆଗେଇ ଆସିଛନ୍ତି ସତ, କିନ୍ତୁ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସେପଟେ ଖବର ପାଇବା ପରେ ଚିକିତ୍ସା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ରାଜ୍ୟ ସରକାର ତତ୍ପର ହୋଇଉଠିଥିବା ବେଳେ, ଶ୍ରୀପତିଙ୍କ ପରିବାରର ଦୁଃଖ ପ୍ରଶାସନର କାନରେ ନପଡିବା ବ୍ୟବସ୍ଥାର ବିଡମ୍ବନା ନୁହେଁ କି ? ଏହି ବିଚାର ଆପଣଙ୍କର ।