ମେଧାବୀ ଛାତ୍ରଙ୍କ ବାଟରେ ପ୍ରତିବନ୍ଧକ ସାଜିଛି ପରିବାରର ଅର୍ଥାଭାବ । +୨ କଳାରେ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ପରମାନନ୍ଦଙ୍କୁ ଘାରିଛି ଉଚ୍ଚଶିକ୍ଷା ଚିନ୍ତା ।

184
କନକ ବ୍ୟୁରୋ: ମେଧାବୀଙ୍କ ପାଠପଢା ପାଇଁ ଅର୍ଥ ସାଜିଛି ବାଧକ । ପାଠ ପଢି ଆଗକୁ ବଢିବା ପାଇଁ ଅଖିରେ ଆଖିଏ ସ୍ୱପ୍ନ । ହେଲେ ବାପାଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଅନ୍ଧାର ଭିତରକୁ ଠେଲି ହୋଇଯିବାକୁ ବସିଛି ଜଣେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ଯୁକ୍ତ-୨ରେ ଜିଲ୍ଲାସ୍ତରରେ ଦ୍ୱିତୀୟ ସ୍ଥାନର ଅଧିକାର କରିବା ପରେ ଉଚ୍ଚଶିକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ ଏକମାଣିଆ ଗାଁର ଛାତ୍ର ପରମାନନ୍ଦ ବେହେରା  ।
ପାଠପଢା ପାଇଁ ଅର୍ଥ ସାଜିଛି ବାଧକ । ଆଗକୁ ପାଠପଢା ପାଇଁ ସରକାର ଓ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି ବାପା ମାଆ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏକମାଣିଆ ଗାଁରେ ।
ପାଠପଢା ପାଇଁ ମେଧାବୀ ଛାତ୍ରଙ୍କ ମନରେ ପ୍ରବଳ ଆଗ୍ରହ ଅଛି । ହେଲେ ତାଙ୍କ ଗୋଡରେ ବେଡି ବାନ୍ଧି ଦେଇଛି ଅର୍ଥାଭାବ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ଏକମାଣିଆ ଗାଁର ପରମାନନ୍ଦ ବେହେରାଙ୍କ କଥା । ଚଳିତବର୍ଷ ଯୁକ୍ତ ୨ କଳାରେ ୫୦୬ ନମ୍ବର ରଖି କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ପରମାନନ୍ଦ । ହେଲେ ଏବେ ଯୁକ୍ତ ୩ ପଢିବା ପାଇଁ ବାପାଙ୍କର ଆର୍ଥିକ ସମ୍ବଳ ନଥିବାରୁ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି କହିଛନ୍ତି ।
ପରମାନନ୍ଦଙ୍କ ବାପା ପ୍ରତାପ ବେହେରା ପରଘରେ ମୂଲ ଲାଗି ୭ ପ୍ରାଣୀ କୁଟୁମ୍ବ ପୋଷନ୍ତି । ବହୁ କଷ୍ଟରେ ପୁଅ ପରମାନନ୍ଦଙ୍କୁ ଯୁକ୍ତ ୨ ଯାଏଁ ପଢାଇଛନ୍ତି । ଆଗକୁ ମଧ୍ୟ ପୁଅକୁ ପାଠ ପଢାଇ ଭଲ ମଣିଷ କରିବାର ଇଚ୍ଛା ରଖିଛନ୍ତି । ହେଲେ ଅଂଟାରେ କଉଡି ନଥିବାରୁ ଆଗକୁ ବଢିବା ସମ୍ଭବ ହୋଇପାରୁନାହିଁ । ପରମାନନ୍ଦ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା କରିବା ପାଇଁ ଆବେଦନ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ସହଯୋଗ ମିଳନ୍ତା ତେବେ ସେ ଭବିଷ୍ୟତରେ ସୁନାମ ଅର୍ଜନ କରିପାରନ୍ତେ ଆଶା ରଖିଛନ୍ତି ।