କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ଇଡି ଗିରଫ କରିଥିବା ବେଳେ ସମାନ ମାମଲାରେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ତାଙ୍କ ପତ୍ନୀ ବର୍ଷା ରାଉତ । ଏନେଇ ଇଡି ପକ୍ଷରୁ କିଛିଦିନ ତଳେ ବର୍ଷାଙ୍କୁ ହାଜର ହେବାକୁ ନୋଟିସ କରାଯାଇଥିଲା । କୁହାଯାଉଛି କି ଆଜି ଇଡି ପକ୍ଷରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ ।

Advertisment

ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଜୁଲାଇ ୩୧ ତାରିଖ ରବିବାର ଦିନ ସଂଜୟ ରାଉତଙ୍କର ବିଭିନ୍ନ ଠିକାଣାରେ ଚଢାଉ କରିବା ସହ ସେହିଦିନ ସଂଜୟଙ୍କୁ ହେପାଜତକୁ ନେଇଥିଲା  । ଏହାପରେ ସଂଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ଇଡି ପକ୍ଷରୁ କୁହାଯାଇଥିଲା କି, ଯେଉଁ ମାମଲାରେ ସଂଜୟ ରାଉତ ଗିରଫ ହୋଇଛନ୍ତି ସେହି ପାତ୍ରା ଚୌଲ ପୁନଃବିକାଶ ମାମଲାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ।

ଇଡି ପକ୍ଷରୁ ଦାବି କରାଯାଇଛି କି, ଏହି ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସଂଜୟ ରାଉତଙ୍କ ପରିବାର ୧.୦୬ କୋଟି ଟଙ୍କା ଲାଭବାନ ହୋଇଛି । ସେପଟେ ସଂଜୟ ରାଉତ ଦାବି କରିଛନ୍ତି କି ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ର ସରକାର ତାଙ୍କୁ ଫଶେଇ ଦେବାକୁ ଚେଷ୍ଟା କରୁଛନ୍ତି ।

ଇଡି ତରଫରୁ କୋର୍ଟରେ କୁହାଯାଇଛି କି, ସଂଜୟ ରାଉତଙ୍କ ପରିବାର ଆକାଉଣ୍ଟକୁ କିଭଳି ୧.୬ କୋଟି ଟଙ୍କା ଆସିଲା ଓ ବିଦେଶ ଭ୍ରମଣରେ କେତେ ଖର୍ଚ୍ଚ ହୋଇଛି ତାହା ଉପରେ ଏଜେନ୍ସି ତଦନ୍ତ କରୁଛି ।